ଖରା ଆରମ୍ଭ ହୋଇଛି, ବର୍ଷା ବିଳମ୍ବ ଅଛି । ବିିଜେଡି ବିଧାୟକ ସୌମ୍ୟରଞ୍ଜନ କହିଲେ, ମହାନଦୀର ଜଳସ୍ତର ଦେଖି ଭୟ ଲାଗିଲାଣି ।

125

କନକ ବ୍ୟୁରୋ : ମହାନଦୀକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ମହାନଦୀର ଜଳସ୍ତର ଦେଖି ଅତ୍ୟନ୍ତ ଭୟ ଲାଗିଲାଣି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜଳସ୍ତର କମ ଅଛି । ବର୍ଷା ହେବାକୁ ବହୁତ ବିଳମ୍ବ ଅଛି, ଖରା ଆରମ୍ଭ ହୋଇଛି ମାତ୍ର, ଏହି ସମୟରେ ମହାନଦୀର ଜଳସ୍ତର କମିଲେ ଆମ ମାନଙ୍କର ଅବସ୍ଥା କଣ ହେବ ସହଜରେ ଅନୁମେୟ କରିପାରିବା ।

ଏହାସହ ମହାନଦୀରେ ଜଳସ୍ତର କମିବାର ୩ଟି କାରଣ ମଧ୍ୟ କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।
୧. ମହାନଦୀର ଉପର ମୁଣ୍ଡରୁ ପାଣି ଆସୁଛି ତାକୁ ଆମର ପଡୋଶୀ ଭାଇମାନେ ଅଟକାଇ ଦେଉଛନ୍ତି ଯାହା ଫଳରେ ପାଣିର ବହିବାର ପରିମାଣ କମିଯାଇଛି ।

୨. ଯେତିକି ଆମକୁ ବର୍ଷା ଜଳ ଏବଂ ନଦୀର ଜଳ ମିଳୁଛି, ସେତିକି ସମୁଦ୍ରକୁ ବହିଯାଉଛି । ଉତ୍ପତି ସ୍ଥଳରୁ ପାଣି ଅଟକାଇ ଦେଉଛନ୍ତି । ଆମେ ସଜାଗ ହୋଇ ଟ୍ରିବୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ପାଇଁ ଯୋଜନା କରିବା ଦରକାର । ସେମାନେ ଯଦି ଆନିକଟ କରି ପାଣି ଅଟକାଇଛନ୍ତି, ଆମେ ମଧ୍ୟ ଆମ ମହାନଦୀ ପାଣି ଅଟକାଇବାର ବ୍ୟବସ୍ଥା କରିବା ଉଚିତ୍ । ଯାହାଦ୍ୱାରା ସମୁଦ୍ରକୁ ଯେଉଁ ଜଳ ବହିଯାଉଛି ତାହାକୁ ରକ୍ଷା କରିପାରିବା, ଯାହା ଫଳରେ ଭୂତଳ ଅଧିକ ପରିମାଣରେ ସୁରକ୍ଷିତ ରହି ପାରିବ । କଳକାରଖାନା ଏବଂ ନଦୀରେ ଯେଉଁମାନେ ପ୍ରଦୂଷଣ ଛାଡ଼ୁଛନ୍ତି ସେମାନଙ୍କ ପାଇଁ ଆମକୁ ଚିନ୍ତା କରିବା ସହ ସଜାଗ ହେବାକୁ ପଡ଼ିବ ।

୩. ଆମର ଜଙ୍ଗଲ ଯେମିତି ନଷ୍ଟ ନ ହେବ ସେଥିପ୍ରତି ସଜାଗ ହେବା ସହ ଗଛ କଟାକୁ କିଭଳି କମ କରାଯିବ ତାହା ଉପରେ ଦୃଷ୍ଟି ଦେବାକୁ ପଡିବ । ସେହିଭଳି ନୂଆ ଗଛ ଲଗାଇ ଜଙ୍ଗଲକୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।