୨୦୧୯ ପାଇଁ ପାଗ ଭିଡିଲା ବିଜେଡି । ଜଗନ୍ନାଥ ଧାମରୁ ପ୍ରତିଷ୍ଠା ଦିବସରେ ବଜାଇବ ନିର୍ବାଚନ ପ୍ରସ୍ତୁତିର ବିଗୁଲ । ଶକ୍ତି ପ୍ରଦର୍ଶନ କରିବେ ନବୀନ 

24

କନକ ବ୍ୟୁରୋ : ଆଉ ଗୋଟିଏ ଦିନ ପରେ ପୁରୀରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜେଡି ପୁରୀ ସହରରେ ପାଳନ କରିବ ୨୦ ତମ ପ୍ରତିଷ୍ଠା ଦିବସ । ଯେଉଁଥି ପାଇଁ ବ୍ୟାପକ ଆୟୋଜନ କରୁଛନ୍ତି ନବୀନ ଆଣ୍ଡ ଟିମ । ଶ୍ରୀକ୍ଷେତ୍ରରେ ବିଜେଡିର ପ୍ରତିଷ୍ଠା ଦିବସ, ଏଇଥି ପାଇଁ ଗୁରୁତ୍ୱ ରଖୁଛି, କାହିଁକି ନା’ ବିଜେପିର ଫୋକସରେ ରହିଛି ପୁରୀ । ଅମିତ ଶାହା ଓ ମୋଦି ଆସିଛନ୍ତି ଏବଂ ଏଇଠୁ ହିଁ ଓଡ଼ିଶା ରାଜନୀତିର ନବକଳେବରର ଆହ୍ୱାନ ଦିଆଯାଇଛି ।

କିଛି ଏଭଳି ଢ଼ଙ୍ଗରେ ନଜର ଆସିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁରୀରେ ରୋଡ ସୋ’ ଜରିଆରେ ଦମ ଦେଖାଇବ ବିଜୁ ଜନତା ଦଳ ।ଯେଉଁ ପୁରୀରେ, ଓଡ଼ିଶା ରାଜନୀତିରେ ନବକଳେବର ପାଇଁ ବିଜେପି ଡାକରା ଦେଇଛି । ସେଇଠୁ ହିଁ ବିଜେଡି ଆରମ୍ଭ କରିବ ୨୦୧୯ ପାଇଁ ପ୍ରସ୍ତୁତି । ପୁରୀରେ ମେଗା ସୋ’ ଜରିଆରେ ଆଗାମୀ ନିର୍ବାଚନୀ ପାଇଁ ଶଙ୍ଖ ଫୁଙ୍କିବ ଶଙ୍ଖ ଦଳ ।

ମାତ୍ର ଦୁଇ ଦଶନ୍ଧିରେ ଓଡ଼ିଶାର ଏକ ନମ୍ବର ଦଳ ଭାବରେ ଛିଡ଼ା ହୋଇଥିବା ବିଜେଡି, କ୍ରମାଗତ ଭାବରେ ଦୀର୍ଘ ୧୭ ବର୍ଷ ଧରି କ୍ଷମତାରେ ରହିଛି । ଆଉ ଏହି ଧାରାକୁ ବଜାୟ ରଖିବା ପାଇଁ ପୁରୀରେ ବ୍ୟାପକ ଆୟୋଜନ କରୁଛି ଦଳ । ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ ।

ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଏକାଠି ହେବେ ତୃଣମୂଳରୁ ଶୀଖରସ୍ତରର ନେତା ଓ କର୍ମୀ । ଯେଉଁଠି ପ୍ରସ୍ତୁତ ହେବ ୨୦୧୯ ପାଇଁ ନିର୍ବାଚନୀ ଖସଡ଼ା । ଗୋଟିଏ ସ୍ୱରରେ ଦେବେ ରଣହୁଙ୍କାର । ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁକୁ ପାଥେୟ କରି ଜନତାଙ୍କ ପାଇଁରେ ପହଂଚିବା ପାଇଁ ପ୍ରସ୍ତୁତ ହେବ ରଣନୀତି ।