ମାଲକାନଗିରି ଜିତିବାକୁ ବଙ୍ଗୀୟ ଭୋଟରଙ୍କ ଉପରେ ନଜର । ପ୍ରଚାରରେ ମାତିଛନ୍ତି ବିଜେପି, ବିଜେଡି ପ୍ରାର୍ଥୀ ।

116

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ବଙ୍ଗୀୟ ଭୋଟର ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣରେ ଗୁରୁତ୍ୱପୁର୍ଣ ଭୂମିକା ନିର୍ବାହ କରନ୍ତି । ତେଣୁ ବଙ୍ଗୀୟ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଆପ୍ରାଣ ଉଦ୍ୟମ ଆରମ୍ଭ କରିଛନ୍ତି ସବୁ ଦଳର ନେତା । କିଏ ଢୋଲ ବଜାଉଛି ତ, ଆଉ କିଏ ଗାଁକୁ ଗାଁ, ଘରୁକୁ ଘର ବୁଲି ବଙ୍ଗୀୟ ଭୋଟରମାନଙ୍କୁ ନିଜ ଆଡେ ଟାଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି । ତେବେ ବିଜେପି ଦଖଲରେ ମାଲକାନଗିରି ଆସନଟି ରହି ଆସୁଥିବାରୁ ଏଥର ବିଜେଡି ପାଇଁ ମାଲକାନଗିରି ଆସନ ଦଖଲ କରିବା ସମ୍ମାନର ଲଢେଇ ବୋଲି କୁହାଯାଉଛି ।

ମାଲକାନଗିରି ଜିଲ୍ଲାରେ ନିର୍ବାଚନୀ ପ୍ରଚାରବେଳେ ଢୋଲ ବଜାଇ ପ୍ରଚାର କରିବା ଚିତ୍ର ନିୟମିତ ଭାବେ ଦେଖିବାକୁ ମିଳେ । ତେବେ ମାଲକାନଗିରି ବିଜେଡି ପ୍ରାର୍ଥୀ ମାନସ ମାଡକାମୀ ଗତ କିଛି ଦିନ ପୂର୍ବରୁ, ପୋଟେରୁ ହରି ଆଶ୍ରମରେ ଢୋଲ ବଜାଇ ବଙ୍ଗୀୟ ମତୁଆଙ୍କୁ ଆକୃଷ୍ଟ କରୁଥିବା ଚିତ୍ର ସାମନାକୁ ଆସିବା ପରେ, ଏବେ ସାମ୍ନାକୁ ବିଜେପି ପ୍ରଚାରର ଚିତ୍ର । ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମି ମଧ୍ୟ ଏମଭି ୬୫ ଗାଁରେ ଚାଲିଥିବା ମତୁଆ ସମ୍ପ୍ରଦାୟର ହରି ମହୋତ୍ସବରେ ଢୋଲ ବଜାଇ ଭୋଟ ଭିକ୍ଷା କରୁଥିବା ଚିତ୍ର ସାମନାକୁ ଆସିଛି । କାରଣ ବଙ୍ଗୀୟ ଭୋଟ ବିନା ମାଲକାନଗିରି ନିର୍ବାଚନ ବୈତରଣୀ ପାର ହେବା ଅସମ୍ଭବ ।

ତେବେ ଗତ ୨୦୧୯ରେ ମାଲକାନଗିିରି ବିଧାନସଭା ଆସନକୁ ବିଜେପି ଦଖଲ କରିଥିବାରୁ ବଙ୍ଗୀୟ ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ରାଜକୋଷ ଖୋଲି ଦେଇଥିଲା ବିଜେଡି ସରକାର । ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ଗାଁରେ ଥିବା ମଠ ମନ୍ଦିର ପାଇଁ ସରକାର କୋଟି କୋଟ ଟଙ୍କା ଖର୍ଚ୍ଚ କରିଥିବା ବେଳେ ନରନାରାୟଣ ସେବାଶ୍ରମକୁ ଓ ମତୁଆ ସଙ୍ଗଠନର ହରି ମନ୍ଦିର ଲାଗି କୋଟିଏରୁ ଅଧିକ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି ସରକାର ।

ତେବେ ସମଗ୍ର ମାଲକାନଗିିରି ଜିଲ୍ଲାରେ ମୋଟ ୨୧୪ ବଙ୍ଗୀୟ ରାଜସ୍ୱ ଗାଁ ରହିଥିବା ବେଳେ ମାଲକାନଗିରି ବିଧାନସଭା କ୍ଷେତ୍ରରେ ରହିଛି ସର୍ବାଧିକ ୧୭୯ ବଙ୍ଗୀୟ ଗାଁ । ମାଲକାନଗିରିରେ ପ୍ରାୟ ୨ ଲକ୍ଷ ୪୫ ହଜାର ଭୋଟ ରହିଥିବା ବେଳେ ପ୍ରାୟ ୮୫ ହଜାର ବଙ୍ଗୀୟ ଭୋଟର ରହିଛନ୍ତି । ଆଉ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ୩୫ ଖଣ୍ଡ ଗାଁରେ ୩୦ ହଜାର ଭୋଟର ରହିଛନ୍ତି । ତେବେ ୨୦୦୯ ଓ ୨୦୧୪କୁ ବାଦ ଦେଲେ ବିଜେଡି ଖାତାକୁ ଆସି ପାରିନାହିଁ ମାଲକାନଗିରି ବିଧାନସଭା ଆସନ । ତେଣୁ ଏଥର ମଧ୍ୟ ବଙ୍ଗୀୟ ଭୋଟର ମାଲକାନଗିରି ବିଧାନସଭା ଆସନରେ ନିର୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି ।

କେବଳ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ନୁହେଁ ବରଂ ନବରଙ୍ଗପୁର ଲୋକସଭା ଆସନ ଲାଗି ମଧ୍ୟ ମାଲକାନଗିରି ଜିଲ୍ଲାର ବଙ୍ଗୀୟ ଭୋଟ ବେଶ୍ ଗୁରୁତ୍ୱପୁର୍ଣ । ତେଣୁ ବଙ୍ଗୀୟ ଭୋଟରଙ୍କୁ ମନାଇବା ଲାଗି କଳ, ବଳ, କୌଶଳ ଲଗାଇ ଦେଇଛନ୍ତି ପ୍ରାୟ ସବୁ ରାଜନୈତିକ ଦଳ ।