ବିରୋଧୀ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଫେରାଦ ହେଲା ବିଜେଡି । ପଦ୍ମପୁରରେ ମହିଳାଙ୍କୁ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଯୋଗ । 

117

କନକ ବ୍ୟୁରୋ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ପଦ୍ମପୁରରେ ଜୟନାରାୟଣ ମିଶ୍ର ମହିଳାଙ୍କୁ ନେଇ ଅଶାଳୀନ ଟିପ୍ପଣୀ ଦେଇଥିବା ବିଜେଡି ଅଭିଯୋଗ କରିଛି ।

ବିଜୁ ଜନତା ଦଳ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରମାଣ ଭାବେ ଜୟନାରାୟଣଙ୍କ ବୟାନ ଥିବା ଏକ ପେନଡ୍ରାଇଭ ଦେଇଛନ୍ତି । ଏହାସହ ଉପନିର୍ବାଚନ ପ୍ରଚାରରୁ ବିରୋଧୀ ଦଳ ନେତାଙ୍କୁ ଦୂରେଇ ରଖିବାକୁ ଦଳ ଦାବି କରିଛି ।

ବିଜେଡି ନେତା କହିଛନ୍ତି ଯେ,  ବିରୋଧୀ ଦଳ ନେତାଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଙ୍କ ବକ୍ତବ୍ୟ ଅତ୍ୟନ୍ତ ନିମ୍ନମାନର ଓ ସଂପୂର୍ଣ୍ଣ ମହିଳା ଜାତିଙ୍କ ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରୁଛି । ଜଣେ ଆଇନ ପ୍ରଣେତାଙ୍କ ଠାରୁ ଏହା ଆଶା କରାଯାଉନି ବୋଲି ବିଜେଡି କହିଛି ।ଅନ୍ତତଃ ଜୟନାରାୟଣ ମିଶ୍ରଙ୍କ ଭଳି ଜଣେ ମାନସିକ ଦୂଷିତ ମଣିଷ ନିର୍ବାଚନ ରଣାଙ୍ଗନରେ ରହିବା ଅନୁଚିତ । ତେଣୁ ନିର୍ବାଚନ ପ୍ରଚାର ମୈଦାନରୁ ଦୂରେଇ ରଖିବାକୁ କମିଶନଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଲେନିନ୍ ମହାନ୍ତି ।