୧୯୯୯ ଘୋଷଣା ହୋଇଥିଲା, ୨୦ ବର୍ଷ ପରେ ମୋହର ବାଜିଲା । ମୋଦି ସରକାର ବାଛିଲେ ତିନି ସେନାବାହିନୀର ସେନାପତି, ଦେଶର ପ୍ରଥମ ସିଡିଏସ ଭାବେ ବିପିନ୍ ରାୱତଙ୍କୁ ନିଯୁକ୍ତି ।

533

କନକ ବ୍ୟୁରୋ : ସେନାମୁଖ୍ୟ ବିପିନ୍ ରାୱତଙ୍କୁ ବଡ ଦାୟିତ୍ୱ । ଦେଶର ପ୍ରଥମ ସିଡିଏସ ବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଭାବେ ବିପିନ୍ ରାୱତଙ୍କୁ ନିଯୁକ୍ତି ମିଳିଛି । ଆସନ୍ତାକାଲି ସେନାମୁଖ୍ୟ ପଦରୁ ଅବସର ନେବା ପୂର୍ବରୁ ସିଡିଏସ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରାୱତଙ୍କୁ ବସାଇଛନ୍ତି କେନ୍ଦ୍ର ସରକାର । ରାୱତଙ୍କ ନିଯୁକ୍ତିରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ କମିଟି ।

ସିଡିଏସ ଏଭଳି ଏକ ପଦ ଯେଉଁଥିରେ ୪ ଷ୍ଟାର ଜେନେରାଲ ରାଙ୍କ ଥିବା ଅଧିକାରୀଙ୍କୁ ନିଯୁକ୍ତି କରାଯାଇପାରିବ । ଏହାଛଡା ଉକ୍ତ ଅଧିକାରୀଙ୍କ ସୈନ୍ୟ ବିଭାଗରେ ବିଶେଷ ଦକ୍ଷତା ରହିଥିବା ଆବଶ୍ୟକ । ତିନି ସେନା ସହ ଜଡିତ ସମସ୍ତ ମାମଲାରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେବେ ସିଡିଏସ । ଏହାଛଡା କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ସାମରିକ ଆକ୍ରମଣ ସମୟରେ ତିନି ସେନା ମଧ୍ୟରେ ତାଳମେଳ ରକ୍ଷା କରିବାର ଗୁରୁଦାୟିତ୍ୱ ସମ୍ଭାଳିବେ ସିଡିଏସ ବିପିନ୍ ରାୱତ ।

ତିନି ସେନାବାହିନୀର ସେନାପତି ଭାବେ କାମ କରିବେ ସିଡିଏସ ବିପିନ୍ ରାୱତ । ସେହିପରି ପ୍ରତିରକ୍ଷା ମନ୍ତ୍ରାଳୟ ଓ ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଦେଶର ସାମରିକ କ୍ଷମତାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ସିଡିଏସ ।
୧୯୯୯ କାରଗିଲ ଯୁଦ୍ଧ ପରେ ଏଭଳି ଏକ ପଦବୀ ପାଇଁ ଦାବି ଉଠିଥିଲା । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବା ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବାକୁ ଏଭଳି ଏକ ପଦବୀର ଆବଶ୍ୟକତା ରହିଛି ବୋଲି କୁହାଯାଇଥିଲା । ସେତେବେଳେ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଗଠିତ କମିଟିର ଯୁକ୍ତି ଥିଲା ଯେ, ତିନି ସେନା ମଧ୍ୟରେ ସମନ୍ୱୟ ରହିଥିଲେ କାରଗିଲ ଯୁଦ୍ଧରେ ସେନାକୁ କମ କ୍ଷତି ସହିବାକୁ ପଡିଥାନ୍ତା । ଆଉ ଦୀର୍ଘ ୨୦ ବର୍ଷ ପରେ ମୋଦି ସରକାର ଏହି ପ୍ରସ୍ତାବରେ ମୋହର ମାରିବା ସହ ବିପିନ୍ ରାୱତଙ୍କୁ ପ୍ରଥମ ସିଡିଏସ ଭାବେ ନିଯୁକ୍ତି ଦେଇଛନ୍ତି ।

ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସିଡିଏସ ନିଯୁକ୍ତି ନେଇ ବଡ ଘୋଷଣା କରିଥିଲେ । ଆଉ ସେତେବେଳେ ଏହି ପଦରେ କିଏ ବସିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ଆଜି ସେନାମୁଖ୍ୟ ପଦରୁ ଅବସର ନେବା ପୂର୍ବରୁ ଦେଶର ପ୍ରଥମ ସିଡିଏସ ଭାବେ ବିପିନ୍ ରାୱତଙ୍କୁ ନିଯୁକ୍ତି ଦେଇଛି କ୍ୟାବିନେଟ କମିଟି ।