ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ ଚାଷ କରି କରୁଛନ୍ତି ଭଲ ରୋଜଗାର

285

କନକ ବ୍ୟୁରୋ : ଯୁବକ ଜଣକ ହେଉଛନ୍ତି ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ଏକତଳା ଗାଁର ଅଶୋକ ମହାନ୍ତି । ଯୁକ୍ତତିନି ବାଣିଜ୍ୟ ପଢୁଥିବା ବେଳେ ଅଧାରୁ ପାଠଛାଡି ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାର୍ୟ୍ୟକରୁଥିଲେ । କୋରିଅର ସଂସ୍ଥାରେ ନିଜସହ କର୍ମି ଥିବା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମନରେ ଅନେକ ଆଶା ଓ ସ୍ୱପ୍ନ ଥିଲା ଜୀବନକୁ ନେଇ ହେଲେ ୨୦୧୩ ମସିହାରେ ବଦଳିଯାଇଥିଲା ଜୀବନର ଗତିପଥ । କୋରିଅର ନେଇ ଯାଉଥିବା ବେଳେ ବାଲେଶ୍ୱର ଠାରେ ଟ୍ରେନ ଦୁର୍ଘଟଣାରେ ଦୁଇଗୋଡ ହରାଇବସିଲେ । ଜଣେ ସୁସ୍ଥ ସବଳ ମଣିଷରୁ ସେ ପାଲଟି ଯାଇଥିଲେ ଦିବ୍ୟାଙ୍ଗ । ତଥାପି ପ୍ରେମରେ ବାନ୍ଧି ହୋଇଥିବା ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଛାଡିନଥିଲେ । ଏହା ପରେ ବିଜୟଲକ୍ଷ୍ମୀ ଅଶୋକଙ୍କ ହାତ ଧରି ଭୁବନେଶ୍ୱର ଛାଡି ଏକତଳା ଗାଁର ବୋହୁ ସାଜିଥିଲେ । ପରିବାର ଚଳାଇବା ପାଇଁ ଅଶୋକ ଓ ବିଜୟଲକ୍ଷ୍ମୀ ଘର ଆଗରେ ଏକପାନ ଦୋକାନ କରିଥିଲେ । ମାତ୍ର କିଛି କରିବାର ଆଗ୍ରହକୁ ପୂରଣ କରିଥିଲା କନକ ନ୍ୟୁଜର ଏକ ଖବର । ବାଲେଶ୍ୱରରେ ଜଣେ ଚାଷୀଙ୍କର ବାୟୋ ଫ୍ଲକ୍ସ ମାଛ ଚାଷ ଦେଖି ୨୦୧୯ ମସିହାରେ ନିଜ ଘରେ ଆରମ୍ଭ କରିଥିଲେ ମାଛ ଚାଷ । ସେବେଠୁ ଆଉ ପଛକୁ ଫେରିଚାହିଁ ନାହାନ୍ତି ଏହି ଦମ୍ପତି ।

ଅଶୋକ ପତ୍ନୀ ବିଜୟଲକ୍ଷ୍ମୀଙ୍କ ସହ ମିଶି ପ୍ରଥମେ ଗୋଟିଏ କୁଣ୍ଡରେ ମାଛଚାଷ ଆରମ୍ଭ କରିଥିଲେ । ନିଜସ୍ୱ ଉଦ୍ୟମରେ ପ୍ରଥମେ ଦୁଇଟି ଟାଙ୍କି କରି ସେଥିରେ ମାଗୁର ମାଛ ଚାଷ କରିଥିଲେ । ମାତ୍ର ଉପଯୁକ୍ତ ଜ୍ଞାନ କୌଶଳ ଅଭାବରୁ ମାଛ ଗୁଡିକ ମରିଯିବାରୁ ବହୁତ କ୍ଷତି ସହିଥିଲେ । ପରେ ଅଶୋକ ଜିଲ୍ଳା ମତ୍ସ୍ୟ ବିଭାଗ ସହାୟତାରେ ସିଫାରେ ପ୍ରଶିକ୍ଷଣ ନେବା ସହ ଭୁବନେଶ୍ୱରରେ ନ୍ୟାସନାଲ ଫିସ୍ ଏକାଡେମୀରୁ ପାଂଚ ଦିନିଆ ପ୍ରଶିକ୍ଷଣ ନେଇ ପୂନର୍ବାର ଚାରିଟି କୁଣ୍ଡରେ ମାଛଚାଷ କରିଥିଲେ । ଅଶୋକ ନିଜର ଏହି ପ୍ରକଳ୍ପରେ ଦୁଇଲକ୍ଷ ଟଙ୍କା ବିନିଯୋଗ କରିଥିବା ବେଳେ ମାଗୁର, କଉ, ତିଲାପିଆ, ରୂପଚାନ୍ଦ ପ୍ରଜାତିର ମାଛ ଚାଷକରି ବାର୍ଷିକ ଅଢେଇଲକ୍ଷ ଟଙ୍କା ଲାଭ କରି ନିଜକୁ ଆତ୍ମ ନିର୍ଭରଶୀଳ କରିପାରିଛନ୍ତି । ମତ୍ସ୍ୟ ବିଭାଗର ସହାୟତାରେ ଆଗକୁ ବଢିବା ସହ ଆଗାମୀ ଦିନରେ କୁଆଖିଆଠରେ ଏକ ମାଛ ଖାଦ୍ୟ ପ୍ରସ୍ତୁତି ୟୁନିଟ କରିବାକୁ ଇଛା ରଖିଛନ୍ତି । ଅଶୋକ ଓ ବିଜୟଲକ୍ଷ୍ମୀଙ୍କର ଏହି ନିଷ୍ଠାପର ଉଦ୍ୟମ ଯୋଗୁଁ ତାଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଛି ।

ତେବେ ଜୀନବ ଯୁଦ୍ଧରେ ହାରିନଯାଇ ନିଜକୁ ସ୍ୱାବଲମ୍ବୀ କରିବା ପାଇଁ ଅଶୋକ ଓ ବିଜୟଲକ୍ଷ୍ମୀଙ୍କର ଏହି ମାଛଚାଷ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।