କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି ମହିଳା

73

କନକ ବ୍ୟୁରୋ : ନଡ଼ିଆ କତାରେ ତିଆରି ହେଉଛି ଘରସଜା ସାମଗ୍ରୀ । କତା, ଅଦରକାରୀ କାଗଜ ଓ ଉଲ୍ରେ ତିଆରି ହୋଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂତି । ଘର, ହାତୀଘୋଡ଼ା, ଫୁଲତୋଡ଼ା, କଳସୀ ଓ କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ଗୃହ ଉପକରଣ ତିଆରି କରୁଛନ୍ତି ମହିଳା । ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଛି ଲୋକଙ୍କୁ ମଧ୍ୟ ସେତିକି ପସନ୍ଦ ଆସୁଛି । ବାଲେଶ୍ୱର ଭୋଗରାଇ ବ୍ଲକ ପସରବିନ୍ଧା ଗାଁର ୧୫ରୁ ଅଧିକ ଏସଏଚଜି ମହିଳା ଏକାଠି ହୋଇ ଏହି ସବୁ ସାମଗ୍ରୀ ତିଆରି କରୁଛନ୍ତି । ଏହି କାମ ପାଇଁ ମିଶନ ଶକ୍ତି ପକ୍ଷରୁ ମହିଳାଙ୍କୁ ମିଳୁଛି ପ୍ରୋତ୍ସାହନ ।

ଘର କାମ ପରେ ବଳକା ସମୟରେ ଏକାଠି ହୋଇ ମହିଳା ମାନେ ଏହି କାମରେ ଲାଗି ପଡ଼ନ୍ତି । ତାଲିମ ନେବାର ୬ ମାସ ଭିତରେ ଏଭଳି ଜିନିଷ ତିଆରି କରିଛନ୍ତି ମହିଳା । ଫୁଲ ଦାନୀ, ବିଭିନ୍ନ ପ୍ରକାରର ଠାକୁରଙ୍କ ପ୍ରତିମୂର୍ତିି, ବିଭିନ୍ନ ପ୍ରକାରର ପଶୁପକ୍ଷୀ, ଅନେକ ପ୍ରକାରର ଗଛ, ୱାଲ ହ୍ୟାଙ୍ଗିଙ୍ଗ ଭଳି ସାମଗ୍ରୀ ତିଆରି କରୁଛନ୍ତି ମହିଳା । ଏହି ସବୁ ସାମଗ୍ରୀ ମିଶନ ଶକ୍ତି ବଜାରରେ ବିକ୍ରି କରିବା ସହ ଆଖପାଖ ଅଂଚଳରେ ଅନୁଷ୍ଠିତ ହେଉଥିବା ମେଳା ମହୋତ୍ସବରେ ବିକ୍ରି କରାଯାଉଛି । ଏହା ସହ ସ୍ଥାନୀୟ ବ୍ୟବସାୟୀଙ୍କ ସହାୟତାରେ ପଶ୍ଚିମବଙ୍ଗ ବଜାରରେ ବିକ୍ରି କରୁଛନ୍ତି ମହିଳା ।

ଘର କାମ ସହିତ କିଛି ରୋଜଗାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମହିଳାଙ୍କ ପାଇଁ ସହାୟକ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ । ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଏକ ୬ ମାସିଆ ତାଲିମ ଦେବା ପରେ ଏମାନେ ଏବେ ଏହି କାମ ଦ୍ୱାରା ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ମିଶନ ଶକ୍ତି ଓ ଓଡ଼ିଶା ଜୀବୀକା ମିଶନ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ଷ୍ଟଲ ଓ ବଜାର ସୁବିଧା ମିଳିଲେ ଏମାନେ ଆହୁରି ଅଧିକ ରୋଜଗାର କରିପାରିବେ ବୋଲି କହିଛନ୍ତି ।