ଓଡିଶାରେ ପହଞ୍ଚିଲା ବହୁ ଚର୍ଚ୍ଚିତ ଡାକୋଟା । ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ।

2,268

କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଓଡ଼ିଶାରେ ପହଞ୍ଚିଛି ବିଜୁ ବାବୁଙ୍କ ଡାକୋଟା ବିମାନ । କୋଲକାତାର ଦମଦମ୍ ବିମାନ ବନ୍ଦରରୁ ୩ଟି ଟ୍ରଲରରେ ବୋଝେଇ ହୋଇ ଆସିଛି ଓଡ଼ିଆଙ୍କ ଗର୍ବ, ଗୌରବର ସ୍ମାରକ ପାଲଟିଥିବା ଡାକୋଟା । କୋଲକାତା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେଇଥିଲେ । ଓଡ଼ିଶା ସୀମା ପହଞ୍ଚିିବା ପରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱରରେ ପହଞ୍ଚିଛି ଡାକୋଟା । ଓଡ଼ିଶା ପୋଲିସର କଡ଼ା ସୁରକ୍ଷାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପହଁଚିଛି ଇତିହାସର ସାକ୍ଷୀ ରହିଥିବା ଡାକୋଟା । ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସାହସର ଗାଥା ବଖାଣିବ ଏହି ବିମାନ ।

ବିଜୁ ପଟ୍ଟନାୟକଙ୍କ ଜୀବନକାଳର ମୁକ ସାକ୍ଷୀ ହୋଇରହିଛି ଡାକୋଟା । ବିଜୁ ବାବୁଙ୍କ ଖୁସି ଓ ଦୁଃଖର ଅନେକ ମୁହୁର୍ତ୍ତ ବିତିଛି ଏହି ବିମାନରେ ।

  • ଭୁୁବନେଶ୍ୱର ପହଞ୍ଚିଲା ବିଜୁବାବୁଙ୍କ ‘ଡାକୋଟା’
  • ‘ଡାକୋଟା’ କହିବ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା

‘ଡାକୋଟା’ର ଇତିହାସ

୧୪ ଏପ୍ରିଲ ୧୯୪୪ରେ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଏୟାରଫୋର୍ସ ପାଇଁ ଉଡାଣ ଭରିଥିଲା ଡାକୋଟା । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଣ୍ଡିଆନ ଓଭରସିଜ୍ ଏୟାରଲାଇନ୍ସକୁ ଏହା ବିକ୍ରି ହୋଇଥିଲା । ଏହାପରେ ନାଳନ୍ଦା ଏୟାରୱେଜ ଏବଂ ପରବର୍ତ୍ତୀ ସମୟରେ ଏୟାର ସର୍ଭେ କମ୍ପାନୀ ଅଫ ଇଣ୍ଡିଆକୁ ବିକ୍ରି କରାଯାଇଥିଲା । ଶେଷରେ ଡାକୋଟାକୁ ଲିଜ୍ ଆକାରରେ ନେଇଥିଲେ ବିଜୁ ପଟ୍ଟନାୟକ । ଆଉ ଏହାପରେ ଅନେକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜୁ ପଟ୍ଟନାୟକଙ୍କ ସହ ରହିଛି ଏହି ଡାକୋଟା ବିମାନ ।

ପାଖାପାଖି ୫୦ ବର୍ଷରୁ ଅଧିକ ସମୟ ହେବ କୋଲକାତାରେ ଏଭଳି ଖରାପ ଅବସ୍ଥାରେ ପଡିରହିଥିଲା ଡାକୋଟା । ଗବେଷକ ଅନୀଲ ଧୀର ଏହାକୁ ଦେଖିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ । କିନ୍ତୁ ସରକାରଙ୍କ ଉଦାସୀନତା ପାଇଁ କୋଲକାତାରୁ ଆସିପାରୁନଥିଲା ଡାକୋଟା । ସ୍କ୍ରାପ କର୍ପୋରେସନ ଅଫ ଇଣ୍ଡିଆ ଜରିଆରେ ଏହାକୁ ନିଲାମ କରିବା ପାଇଁ ପ୍ରକ୍ରିୟା ବି ହୋଇଥିଲା ।

ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଡାକୋଟାର ଯାଞ୍ଚ କରିବେ । ଏହା ପରେ ଯନ୍ତ୍ରୀ ମାନଙ୍କର ଏକ ଟିମ୍ ଏହାକୁ ଫିଟିଂ କରିବେ । ଡାକୋଟାକୁ ତାର ମୂଳ ଅବସ୍ଥାକୁ ଅଣାଯିବ । ଏଥିପାଇଁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କୁହାଯାଉଛି । ଏହା ପରେ ବିମାନବନ୍ଦର ନିକଟରେ ୧ ଦଶମିକ ୧ ଏକର ଜମିରେ ବିଜୁ ବାବୁଙ୍କ ଡାକୋଟା ଶୋଭା ପାଇବ ।