ଆଜି ଓଡିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ : ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ କୁମାର

99

କନକ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ନୀତୀଶ । ଦିନ ୧୧ଟା ୩୦ରେ ସ୍ୱତନ୍ତ୍ର ବିମାନ ଯୋଗେ ନୀତୀଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ । ୧୧ଟା ୫୫ରେ ଅତିଥି ଭବନରୁ ବାହାରି ନବୀନ ନିବାସ ଯିବେ ବିହାର ମୁଖ୍ୟମନ୍ତ୍ରୀ । ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ନବୀନ ନିବାସରେ ରହିବେ । ଏହି ସମୟ ଭିତରେ ରାଜନୈତିକ ଆଲୋଚନା ସହ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ଜଣାପଡ଼ିଛି ।

ରାହୁଲ ଗାନ୍ଧୀ, ଦିଲ୍ଲୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ସାମାଜବାଦୀ ପାର୍ଟି ମୁଖ୍ୟଙ୍କ ସମେତ ତୁଙ୍ଗ ବାମପନ୍ଥୀ ନେତାଙ୍କୁ ଭେଟିବା ପରେ ଓଡ଼ିଶା ଆସୁଛନ୍ତି ନୀତୀଶ କୁମାର । ନୀତୀଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ସମ୍ପର୍କ ବହୁ ପୁରୁଣା । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଏହି ଦୁଇ ନେତା ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଏମିତି କି ବ୍ୟକ୍ତିଗତ ଭାବେ ନୀବିଡ଼ ସମ୍ପର୍କ ଥିବାରୁ ପୂର୍ବରୁ ଏକାଧିକ ଥର ନୀତୀଶ, ନବୀନ ନିବାସ ଆସିଛନ୍ତି । କିନ୍ତୁ ଆଜିର ଗସ୍ତ ଅନେକ ଗୁଡ଼ିଏ ଚର୍ଚ୍ଚା ଆଲୋଚନା ସୃଷ୍ଟି କରିଛି । ନବୀନ- ନୀତୀଶ ଭେଟ ଉପରେ ଓଡ଼ିଶା, ବିହାର ସମେତ ଜାତୀୟ ରାଜନୀତିର ନଜର ଅଟକି ରହିଛି ।