ଇଟା ଭାଟିରେ ଭୟାନକ ବିସ୍ଫୋରଣ । ୯ମୃତଦେହ ଉଦ୍ଧାର, ଭାଟିତଳେ ଚାପି ହୋଇଛନ୍ତି ୨୪ରୁ ଅଧିକ ଶ୍ରମିକ

204

କନକ ବ୍ୟୁରୋ : ବିହାର ରାଜ୍ୟ ମୋତିହାରୀ ନିକଟରେ ଥିବା ଏକ ଚିମିନି ଇଟାଭାଟିରେ ବିସ୍ଫୋରଣ ଘଟିବାରୁୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଲୋକ ଭାଟିତଳେ ଚାପି ହୋଇ ରହିଛନ୍ତି । କେବଳ ସେତିକି ନୁହେଁ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଏଭଳି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ସେପଟେ ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି କି ଏସଡିଆରଏଫ୍ ଟିମ୍ ତରଫରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଲୋକ ହୋଇଥିବା ବେଳେ ୩ ଜଣ ଉତ୍ତର ପ୍ରଦେଶର ବୋଲି ଚିହ୍ନଟ ହୋଇଛି ।

ଏହି ଘଟଣାର ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଓ ଆହାତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।