ଦକ୍ଷିଣ ଓଡିଶାରେ ମାତିଛି ଇରାଗୁଲା ଗ୍ୟାଙ୍ଗ୍  । ଏଟିଏମ୍  କି ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ସୁଯୋଗ ଦେଖି ଝାମ୍ପି ନେଉଛନ୍ତି ଟଙ୍କା  । 

82

କନକ ବ୍ୟୁରୋ: ଆପଣ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଯାଉଛନ୍ତି କି? ଲକ୍ଷାଧିକ ଟଙ୍କା ଉଠାଇବା ପାଇଁ ଏକା ଏଟିମ କିମ୍ବା ବ୍ୟାଙ୍କକୁ ଯାଉଥିଲେ ସତର୍କ ରୁହନ୍ତୁ । ବ୍ୟାଙ୍କ କିମ୍ବା ଏଟିଏମ ପାଖରେ କେହି ଅଚିହ୍ନା ଲୋକ ବୁଲା ବୁଲି କରୁଛି କି? କୌଣସି ବ୍ୟକ୍ତିର ହାବଭାବ ସନ୍ଦେହ ସୃଷ୍ଟି କରୁଛି କି? ଟଙ୍କା ଉଠାଇବା ପରେ କେହି ପିଛା କରୁଛି କି? ଯଦି ହଁ ତେବେ ଆପଣ ସତର୍କ ହୋଇ ଯାଆନ୍ତୁ । ନହଲେ ଆପଣ ମଧ୍ୟ ଲୁଟେରାଙ୍କ ଟାର୍ଗେଟକୁ ଆସି ଯାଇପାରନ୍ତି । ଟଙ୍କା ଝାମ୍ପି ନେଉଛନ୍ତି ଲୁଟେରା । ଏବେ ଦକ୍ଷିଣ ଓଡିଶାରେ ମାତିଛନ୍ତି ଇରାଗୁଲା ଗ୍ୟାଙ୍ଗ । ଜୟପୁର ସହରରେ ଇରାଗୁଲା ଗ୍ୟାଙ୍ଗର ଲୁଟ କାହାଣୀ ସାମ୍ନାକୁ ଆସିଛି ।

ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଉଥିଲେ ଲୁଟେରା । ହେଲେ ଗ୍ରାମବାସୀ ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଛନ୍ତି । ପୁଲିସ ଲୁଟେରାଙ୍କ ପାଖରୁ ୩ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଦୁଇ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଜୟପୁର ସହରର ଓସିସି କଲୋନୀର ସନ୍ତୋଷ ଗୌଡ ବ୍ୟାଙ୍କରୁ ୩ ଲକ୍ଷ ୩୦ ହଜାର ଟଙ୍କା ଉଠାଇ ବାଇକରେ ଘରକୁ ଫେରୁଥିଲେ । ସେମାନଙ୍କୁ ୩ ଜଣ ଲୁଟେରା ବାଇକରେ ପିଛା କରି ୟେଲୋ ଡ୍ୟାମ୍ ନିକଟରେ ବାଇକ ଆରୋହୀଙ୍କୁ ମାଡି ବସି ୩ ଲକ୍ଷ ୩୦ହଜାର ଟଙ୍କା ଛଡାଇ ନେଇଥିଲେ । ବାଇକ ଆରୋହୀଙ୍କ ଚିକ୍ରାର ଶୁଣି ଗାଁ ଲୋକ ଦୌଡିଆସିବାରୁ ହଡବଡେଇ ଯାଇଥିଲେ ଲୁଟେରା । ଖସିଯିବାର କୌଣସି ଉପାୟ ନପାଇ ପାଣିକୁ ଡେଇଁ ପଡିଥିଲେ ଇରାଗୁଲା ଗ୍ୟାଙ୍ଗର ତିନି ସଦସ୍ୟ । ଗାଁ ଲୋକ ସେମାନଙ୍କୁ ଡ୍ୟାମ ପାଣିରୁ ଟେକି ଆଣି ନିର୍ଧୁମ ଛେଚିବା ପରେ ପୁଲିସକୁ ଡାକି ଜିମା ଦେଇଛନ୍ତି ।

୨ ଲୁଟେରା ଧରାପଡିଥିବା ବେଳେ ଜଣେ ଲୁଟେରା ଖସି ପଲାଇଛି । ୨ ଲୁଟେରାଙ୍କ ପାଖରୁ ୩ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୩୦ ହଜାର ଟଙ୍କା ମିଳି ନାହିଁ । ଗିରଫ ଦୁଇ ଲୁଟେରା ଗଂଜାମ ଜିଲ୍ଲା ଆସିକା ଅଞ୍ଚଳର  । ସେମାନେ ଇରାଗୁଲା ଗ୍ୟାଙ୍ଗର ସଦସ୍ୟ ବୋଲି ଜୟପୁର ପୁଲିସ ସୂଚନା ଦେଇଛି ।  ଗତ କିଛି ଦିନ ହେଲା ଏହି ଗ୍ୟାଙ୍ଗ ଦକ୍ଷିଣ ଓଡିଶାରେ ଲୁଟପାଟ କରି ଆତଙ୍କ ଖେଳାଇଛନ୍ତି । ବିଶେଷ କରି ଏହି ଗ୍ୟାଙ୍ଗର ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଇ ଫେରୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି ।