ବିହାର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା । ଫ୍ଲୋର୍ ଟେଷ୍ଟ ପୂର୍ବରୁ ଦେଲେ ଇସ୍ତଫା ।

137

କନକ ବ୍ୟୁରୋ: ବିହାର ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ ସିହ୍ନା । ଆଜି ନୀତିଶ ସରକାର ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବା ପୂର୍ବରୁ ନିଜ ପଦରୁ ବିଜୟ ସିହ୍ନା ଇସ୍ତଫା ଦେଇ ଦେଇଛନ୍ତି ।

ଆଜି ବିହାରରେ ନୀତିଶ ସରକାରକୁ ଫ୍ଲୋର ଟେଷ୍ଟରେ ପାସ୍ କରିବାକୁ ଥିଲା । ଯେଉଁଥି ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ବିଧାନସଭାକୁ ସମ୍ବୋଧିତ କରି ଆଜି ବିଜୟ ସିହ୍ନା କହିଥିଲେ ଯେ, ତାଙ୍କ ଉପରେ ଅନେକ ଆରୋପ ଲଗାଯାଇଥିଲା । ସେହି କାରଣରୁ ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି । ତେବେ ସେ ପୂର୍ବରୁ ମଧ୍ୟ ଇସ୍ତଫା ଦେଇପାରିଥାନ୍ତେ, ହେଲେ ସେ ଏହାର ଜବାବ୍ ଦେବାକୁ ଚାହୁଁଥିଲେ । ତେଣୁ ସେ ଆଜି ବିଧାନସଭାରେ ନିଜର ସମ୍ବୋଧନ ରଖିବା ସହିତ ଇସ୍ତଫା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିୟମ ଅନୁସାରେ କାମ କରିଛନ୍ତି । ତାଙ୍କ ବିରୋଧରେ ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଅସାମ୍ବିଧାନିକ ଅଟେ ।

ସୂଚନାଯୋଗ୍ୟ ଯେ, ଆଜି ବିହାର ବିଧାନସଭାରେ ମହାମେଣ୍ଟ ସରକାରକୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ରହିଥିଲା । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା । ତେବେ ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ମହାମେଣ୍ଟ ସରକାର ପାଖରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ସହଜରେ ବହୁମତ ସାବ୍ୟସ୍ତ କରିପାରିବେ ନୀତିଶ କୁମାର । ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ନୀତିଶ କୁମାର ଆରଜେଡି ସହ ମେଣ୍ଟ ସରକାର ଗଠନ କରିଛନ୍ତି ।