ରୁକୁଣା ରଥ ବ୍ରହ୍ମାଙ୍କ ମୂର୍ତ୍ତିକୁ ଜେସିବିରେ ବୋହିବା ଘଟଣାକୁ ନେଇ ପ୍ରତିବାଦ : ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସେବା ପ୍ରତିନିଧିଙ୍କ ଧାରଣା

152

କନକ ବ୍ୟୁରୋ : ରୁକୁଣା ରଥ ବ୍ରହ୍ମଦେବଙ୍କୁ କ୍ରେନରେ ଉଠାଇବାକୁ ନେଇ ପ୍ରତିବାଦ । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ସେବା ପ୍ରତିନିଧିଙ୍କ ତରଫରୁ ପ୍ରତିବାଦ କରାଯାଉଛି । ପ୍ରଶାସନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଛନ୍ତି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥର ସାରଥୀ ହେଉଛନ୍ତି, ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା । ରୁକୁଣା ରଥରେ ସାରଥୀ ସାଜି ବ୍ରହ୍ମା ଲିଙ୍ଗରାଜଙ୍କୁ ରାମେଶ୍ୱର ମନ୍ଦିରକୁ ନିଅନ୍ତି । ତାଙ୍କୁ ଜୀବନ୍ତ ଠାକୁର ବୋଲି କୁହାଯାଏ । ରୁକୁଣା ରଥରେ ତାଙ୍କୁ ଆଗ ପୂଜା କରାଯାଏ । ରଥଯାତ୍ରା ଦିନ ରଥରେ ହେଉଥିବା ୧୧ ପୂଜାରେ ବ୍ରହ୍ମାଙ୍କ ପୂଜା ସ୍ୱତନ୍ତ୍ର । ରୁକୁଣା ରଥଯାତ୍ରା ପରେ ରଥରୁ ବ୍ରହ୍ମାଙ୍କୁ ନେଇ ମନ୍ଦିର ସିଂହଦ୍ୱାର ଗୁମୁଟିରେ ରଖାଯିବା ବିଧି ରହିଛି ।

ମହାରଣା ସେବାୟତ ଓ ଭୋଇ ବେହେରା ସେବାୟତମାନେ ରଥରୁ ବ୍ରହ୍ମାଙ୍କୁ ଶଗଡିରେ ମନ୍ଦିର ପର୍ଯ୍ୟନ୍ତ ନିଅନ୍ତି । ରଥଯାତ୍ରା ପରେ ଦୁଇ ସେବାୟତ ଗୋଷ୍ଠୀ ପ୍ରଶାସନକୁ ଏହା ଜଣାଇଥିଲେ । ହେଲେ, ପ୍ରଶାସନ ପକ୍ଷରୁ ବ୍ରହ୍ମାଙ୍କ ମୂର୍ତ୍ତିକୁ କ୍ରେନ ସହାୟତାରେ ବାନ୍ଧି ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ନିଆଯାଇ ଗୁମୁଟରେ ରଖି ଦିଆଯାଇଥିଲ । । ଏହାକୁ ସହଜରେ ଗ୍ରହଣ ପାରିନାହାଁନ୍ତି ସେବାୟତ । ବିଧି ପରମ୍ପରାକୁ ଜଳାଞ୍ଜଳି ଦେଇ ମନ୍ଦିର ପ୍ରଶାସନ ଜୀବନ୍ତ ଠାକୁରଙ୍କୁ ନିର୍ଜିବ ଭଳି ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି । ବ୍ରହ୍ମାଙ୍କ ପ୍ରତି ଏଭଳି ଅପମାନସୂଚକ ବ୍ୟବହାରକୁ ନେଇ ସବୁ ସେବାୟତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।