ତାରାତାରିଣୀ ଦର୍ଶନ କଲେ ଅପରାଜିତା: କର୍ମୀଙ୍କ ଗାଡିକୁ ନଛାଡିବାରୁ ପାଦରେ ଚାଲି ଚାଲି ଯାଇ କଲେ ଦର୍ଶନ

223

କନକ ବ୍ୟୁରୋ: କର୍ମୀମାନଙ୍କ ସହ ପାଦରେ ଚାଲି ଚାଲି ଯାଇ ମା ତାରାତାରେଣୀଙ୍କ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପାହାଡ ତଳୁ ପ୍ରାୟ ୪କିଲୋମିଟର ଚାଲି ଚାଲି ଯାଇ ମାଙ୍କ ଦର୍ଶନ କରିଛନ୍ତି ଅପରାଜିତା । ସୂଚନା ଅନୁସାରେ ଅପରାଜିତା କର୍ମୀଙ୍କ ସହ କାରରେ ଯାଇ ତାରାତାରେଣୀ ଗେଟ୍ ସମ୍ମୁଖରେ ପହଁଚିଥିଲେ । ହେଲେ, ଅଧିକ ଗାଡି ଦେଖି ତାଙ୍କୁ ଅଟକାଇଥିଲା ପ୍ରଶାସନ । ଦୁଇଟି ଗାଡିକୁ ଅନୁମତି ଥିବାରୁ ସାଂସଦ କେବଳ ଦୁଇଟି ଗାଡି ନେଇ ଯାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏବଂ ଅନ୍ୟ କର୍ମୀମାନେ ବସ୍ ଯୋଗେ ଉପରକୁ ଯିବାକୁ ପ୍ରଶାସନ କହିଥିଲା ।

ହେଲେ, ପ୍ରଶାସନର ଏହି ସର୍ତରେ ରାଜି ହୋଇନଥିଲେ ଅପରାଜିତା । ସେ ତାଙ୍କ କର୍ମୀଙ୍କ ସହ ଯିବେ ବୋଲି କହିଥିଲେ । ଆଉ ଶେଷରେ ଚାଲି ଚାଲି ଯାଇଥିଲେ । ଅନ୍ୟପଟେ ଟୁଇଟ୍ କରି ଗଞ୍ଜାମ ଜିଲ୍ଲାପାଳ ସଫେଇ ରଖିଛନ୍ତି । ଟୁଇଟ୍ କରି ଜିଲ୍ଳାପାଳ ଲେଖିଛନ୍ତି, ମାଙ୍କ ଦର୍ଶନ ପାଇଁ ସାଂସଦଙ୍କୁ ଅନୁମତି ଦିଆଗଲା ନାହିଁ ବୋଲି ଯାହା କୁହାଯାଉଛି ତାହା ମିଛ । ସାଂସଦଙ୍କ ସହ ଦୁଇଟି ଗାଡିକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା । ଅନୁମତି ଅନୁସାରେ ଦୁଇଟି ଗାଡିରେ ଯାଇ ମାଙ୍କ ଦର୍ଶନ କରିବାକୁ ସାଂସଦଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ମନ୍ଦିରକୁ ଚାଲି ଚାଲି ଯାଇଥିଲେ ।