କିଏ କରୁଛି ଆଚରଣ ବିଧି ଉଲଂଘନ? ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି

70

କନକ ବ୍ୟୁରୋ: ନିର୍ବାଚନ ବେଳେ ନେତାଙ୍କ ଆରୋପ ପ୍ରତ୍ୟାରୋପ ରଣନୀତି ଏବେ ବଦଳି ଯାଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ନେଇ ପ୍ରତ୍ୟେକ ଦଳ ପରସ୍ପର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଟାର୍ଗେଟ ହୋଇଛନ୍ତି ଟପ୍ ବ୍ୟୁରୋକ୍ରାଟ ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ତୀବ୍ର ହେଉଛି ବିଜେଡି-ବିଜେପି କଳି । ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି ଦୁଇ ଦଳ । ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଜାତୀୟ ନିର୍ବାଚନ କମିସନଙ୍କ ନିକଟରେ ବିଜେପି ଅଭିଯୋଗ କରିବା ପରେ ସେହି ବିଭାଗରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏପଟେ ବିଜେଡି ଅଭିଯୋଗ କରିଛି, ଆଇଏଫ୍ଏସ୍ ଅଧିକାରୀ ବିନୟ ପ୍ରଧାନ ଆଚରଣ ବିଧିର ଅବମାନନା କରି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପ୍ରଚାର କରୁଛନ୍ତି ।

ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ ଜାତୀୟ ନିର୍ବାଚନ କମିସନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା । ଅଭିଯୋଗପତ୍ରରେ ବିଜେପି ପ୍ରତିନିଧି ଦଳ ଦର୍ଶାଇଥିଲା, ସରକାରୀ କଳର ଦୂରୂପଯୋଗ କରି ଭୋଟଦାନ ସଚେତନତା କାର୍ଯ୍ୟକ୍ରମକୁ ବିଜେଡି ସପକ୍ଷରେ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ସୁଜାତା କାର୍ତ୍ତିକେୟନ । ଏପଟେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି
ଆଇଏଫଏସ୍ ଅଧିକାରୀ ବିନୟ ପ୍ରଧାନ ଛୁଟି ନେଇ ମାସେ ହେଲା ସମ୍ବଲପୁରରେ ରହୁଛନ୍ତି
ଧର୍ମେନ୍ଦ୍ରଙ୍କ ସପକ୍ଷରେ ପ୍ରଚାର ପାଇଁ ଯୋଜନା କରୁଛନ୍ତି
କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ବୈଦେଶିକ ସଚିବଙ୍କ ଏ ନେଇ ଚିଠି କରାଯାଇଛି

ଆଇନ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ କାହିଁକି ବିନୟ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ଏହାର ଜବାବ ଦେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ବିଜେଡି ପାଖରେ କିଛି ପ୍ରମାଣ ନାହିଁ । ନିର୍ବାଚନ ବେଳେ ଲୋକମାନଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରାଯାଉଛି । ଦୁଇ ପ୍ରମୁଖ ଦଳ ପରସ୍ପର ବିରୋଧରେ ଅଭିଯୋଗ ଓ ପ୍ରତି-ଅଭିଯୋଗ, ରାଜ୍ୟର ରାଜନୈତିକ ବାତାବରଣକୁ ସରଗରମ କରିଦେଇଛି ।