ଓଡିଶାରେ କିଏ ଜିତିବ କେତେ ଆସନ? ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି ‘୨୧ ଲୋକସଭା ଆସନ ଜିତିବ ବିଜେପି’

626

କନକ ବ୍ୟୁରୋ: ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ଲଢ଼େଇର ପରିଭାଷା ଚୂଡ଼ାନ୍ତ ହୋଇଛି । ଓଡ଼ିଆ ଭାଷା ଓ ଅସ୍ମିଙ୍କୁ ନେଇ ମଇଦାନରେ ମୁହାଁମୁହିଁ ଦୁଇ ଦଳ । ଭାଷା ସଂସ୍କୃତିର ସୁରକ୍ଷା ପାଇଁ କିଏ କଣ କରିଛି, ନକରିଛି ତାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ଆଉ ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦମ୍ଭୋକ୍ତି କରିଛନ୍ତି ଯେ, ବିଜେପି ଏଥର ସମସ୍ତ ଲୋକସଭା ଆସନରେ ବିଜୟୀ ହେବ । ଏହି ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ଆସିନଥିଲେ ମଧ୍ୟ ଭାଷା ଓ ସଂସ୍କୃତି ପ୍ରସଙ୍ଗରେ କଡ଼ା ଜବାବ ରଖିଛି ଦଳ ।

ସାରାରାଜ୍ୟରେ ପ୍ରଚାର ଜମି ଆସୁଥିବାବେଳେ, ନିର୍ବାଚନ ମାହୋଲ ବି ସରଗରମ ହେଉଛି । ବିଜୟ ପାଇଁ ସବୁ ଦଳ ଜୋର ଲଗାଇ ଦେଇଛନ୍ତି । ଆଉ ଏତିକିବେଳେ ରାଜ୍ୟର ସବୁ ଲୋକସଭା ଆସନକୁ ପୋଛି ନେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିସହ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ଲଢ଼େଇର ପରିଭାଷା କଣ ହେବ, ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଆ ଅସ୍ମିତା, ଭାଷା, ସାହିତ୍ୟ, ସଂସ୍କୃତି ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବାବେଳେ ଜୋରଦାର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ଗୋଟି ଗୋଟି କରି ଗଣାଇଛି ଦଳ । ଜଗନ୍ନାଥଙ୍କୁ ଛାଡି ଓଡିଆ ସଂସ୍କୃତିର ପରିକଳ୍ପନା କରାଯାଇପାରିବ ନାହିଁ । ତେଣୁ ନିର୍ବାଚନୀ ବୟାନବାଜିରେ ରଥଯାତ୍ରା ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ବି ଉଠିଛି ।

ଭୋଟ ପାଖେଇ ଆସୁଥିବାବେଳେ ନିର୍ବାଚନ ସଫଳତା ପାଇଁ ଉଭୟ ଦଳ ପରସ୍ପର ବିରୋଧରେ ବେଶ୍ ଆକ୍ରମଣାତ୍ମକ ହୋଇପଡିଛନ୍ତି । ଗୋଟିଏ ଶିବିର ଆକ୍ରମଣ କଲେ, ପ୍ରତିପକ୍ଷ ତୁରନ୍ତ ଜବାବ ଦେଉଛନ୍ତି । ରାଜନୀତିର ଏହି ବୟାନବାଜି ଦିନକୁ ଦିନ ରୋଚକ ହେବାରେ ଲାଗିଛି ।