ମୁଣ୍ଡ ଗୋଳମାଳ କଲେଣି ବିଦ୍ରୋହୀ? ମନେଇବା ପରେ ବି ମାନୁନାହାନ୍ତି

199

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରୁ ରାଜନୈତିକ ଦଳଙ୍କୁ ଏକ ଶିକ୍ଷା ବୋଲି କୁହାଯାଉଥିଲା । ଯେତେବେଳେ ଟିକେଟ ଆଶାୟୀ ରାଜୁ ଦାସ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ, ସେତେବେଳେ ସବୁ ଗଣିତ ଓଲଟପାଲଟ ହୋଇଯାଇଥିଲା । ଅନ୍ୟ ସମସ୍ତ ଉପନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ ବି ଧାମନଗରରେ ହାରିଯାଇଥିଲେ । ଆଉ ଏବେ ପ୍ରାୟ ସବୁ ରାଜନୈତିକ ଦଳରେ ରାଜୁ ଦାସଙ୍କ ଭଳି ନେତା ବାହାରିବା ପରେ ଦଳୀୟ ପ୍ରାର୍ଥୀଙ୍କ ଟେନସନକୁ ବଢ଼ି ଯାଇଛି ।

ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନେତା । ହେଲେ, ଏଥର ପ୍ରାର୍ଥୀ ହୋଇଥିବା ନେତାଙ୍କ ମୁଣ୍ଡ କାମ ଦେଉନି । ବିଶେଷକରି ବିଜେଡି ଟିକେଟ ଆଶାୟୀ ଥିବା ଅନୁଭବ ପଟ୍ଟନାୟକ, ନିମାପଡା ବିଧାୟକ ସମୀର ଦାଶ, ବରୀ ବିଧାୟିକା ସୁନନ୍ଦା ଦାସ, ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀଙ୍କ ଭଳି ନେତାଙ୍କ ଆଭିମୁଖ୍ୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଲେଣି । ସେହିପରି ଦେବଗଡ ରାଣୀ ଅରୁନ୍ଧତୀ ଦେବୀଙ୍କୁ ଟିକେଟ ଦେଇ ବଦଳାଇବା ପରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଏହାରି ଭିତରେ ଅନୁଭବ, ରାଜୁ ଦାସଙ୍କ ଭଳି ବିଦ୍ରୋହୀ ସାଜି ସ୍ୱାଧୀନ ଭାବେ ନାମାଙ୍କନ କରିସାରିଛନ୍ତି । ଆଗାମି ଦିନରେ ଆଉ କିଛି ନେତା ସ୍ୱାଧୀନ ଭାବେ ଲଢ଼ିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

ବିଜେଡି ଭଳି ବିଜେପି ପାଇଁ ଖାରବେଳ ସ୍ୱାଇଁ, ମାହାଙ୍ଗାର ଶାରଦା ପ୍ରଧାନ, ବରୀର ଦେବାଶିଷ ନାୟକ, ଧର୍ମଶାଳାର ହିମାଂଶୁ ସାହୁ, ଖୋର୍ଦ୍ଧାର କାଳୁ ଖଣ୍ଡାୟତ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି । ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଖୋଲାଖୋଲି କହୁଛନ୍ତି । ଯାହାକି ନିର୍ବାଚନର ପୂରା ଅଙ୍କକୁ ଗୋଳମାଳ କରି ଦେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।

ବଡ କଥା ହେଉଛି, ଉପରକୁ ଦେଖା ଯାଉଥିବା ଏହି ସବୁ ନେତାଙ୍କ ବ୍ୟତୀତ ଅନେକ ଆସନରେ ବହୁ ଅଦୃଶ୍ୟ ଅସନ୍ତୁଷ୍ଟ ରହିଛନ୍ତି । ଯେଉଁମାନେ କି ଖୋଲାଖୋଲି ସାମନାକୁ ଆସୁନଥିଲେ ବି ଭିତରେ ଭିତରେ ଦଳୀୟ ସଂଗଠନକୁ ପ୍ରଭାବିତ କରୁଛନ୍ତି । ନିଜ ନିଜର ସମର୍ଥକଙ୍କ ସହ ମନ୍ତ୍ରଣା କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ଯାହାକି ଦଳ ପାଇଁ ଘାତକ ସାଜିପାରନ୍ତି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ତେବେ ନିର୍ବାଚନ ଉପରେ ଅସନ୍ତୁଷ୍ଟଙ୍କ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା ।

ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ, ସେମାନଙ୍କୁ ଦଳ ପକ୍ଷରୁ ମନାଇବାକୁ ଉଦ୍ୟମ କରାଯାଉଛି । ସେମାନଙ୍କୁ ଡାକି ଶୀର୍ଷ ନେତୃତ୍ୱ ମନାଇବାକୁ ଉଦ୍ୟମ କରିଛନ୍ତି । ହେଲେ ନେତା ମାନୁଥିବା ଭଳି ଜଣା ପଡୁନାହିଁ ।