ସପ୍ତାହେ ଘୁଞ୍ଚିପାରେ ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବାରୁ ବିଚାର ପାଇଁ ସମୟ ମାଗିଲା ବିସିସିଆଇ

୧୭ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ

99

କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ସପ୍ତାହେ ଘୁଂଚିପାରେ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଂଟ ଓମିକ୍ରନ୍ ଚିହ୍ନଟ ହେବା ପରେ ଭାରତୀୟ ଟିମର ଗସ୍ତ ଘୁଞ୍ଚିବା ସମ୍ଭାବନା ରହିଛି । ଗସ୍ତ ନେଇ ବିଚାର କରିବା ପାଇଁ ବିସିସିଆଇ ସମୟ ମାଗିଥିବା ଜଣାପଡ଼ିଛି । ଆସନ୍ତା ୧୭ ତାରିଖରୁ ଭାରତ- ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଂଟ ଆରମ୍ଭ ହେବାର ଅଛି । ଏହି ଗସ୍ତରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏବେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଛି ।

ମୁମ୍ବାଇରେ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଲସନ୍ ନାଇଦୋ କନକ ନ୍ୟୁଜକୁ ପ୍ରତିକ୍ରିୟା ରଖି କହିଛନ୍ତି ଏପରି ସ୍ଥିତିରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଆସୁଥିବାରୁ ସେ କୃତଜ୍ଞ । ତାଙ୍କ ଦେଶର ଦର୍ଶକ ମଧ୍ୟ ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ବେଶ୍ ଆଗ୍ରହୀ । ମ୍ୟାଚ୍ ଦେଖିବା ପାଇଁ ୨ ହଜାର ଦର୍ଶକଙ୍କୁ ଅନୁମତି ଦିଆଯିବ । ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକମାନେ ଭ୍ୟାକ୍ସିନ୍ ନେଇଥିବା ଆବଶ୍ୟକ ।

କୋଭିଡ୍ ସ୍ଥିତିରେ ଦର୍ଶକ ଦେଖିବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନର ଉତରରେ ସେ କହିଛନ୍ତି, ପୂର୍ବ ଭାଇରସ୍ ଅପେକ୍ଷା ଓମିକ୍ରନ୍ ଏତେ ମାରତ୍ମକ ନୁହଁ । ତେଣୁ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇପାରିବ । ଉଭୟ ଦଳ ପାଇଁ ବାୟୋ ବବଲର ବ୍ୟବସ୍ଥା କରାଯାଇଛି । ଏହା ସହ ସମସ୍ତ କୋଭିଡ୍ କଟକଣାକୁ ପାଳନ କରାଯିବ ବୋଲି କହିଛନ୍ତି ଲସନ୍ ନାଇଦୋ । ଭାରତୀୟ ଦଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ କହିଛନ୍ତି ।