ସୁପ୍ରିମ କୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି, ଆସନ୍ତା କାଲି ଠାରୁ ସମସ୍ତ ସ୍କୁଲ ବନ୍ଦ

413

କନକ ବ୍ୟୁରୋ : ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା କାଲି (ଶୁକ୍ରବାର) ଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କି ଆଗାମୀ ଆଦେଶ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ ରହିବ ।

କହିରଖୁ କି ସୁପ୍ରିମ କୋର୍ଟ ଦିଲ୍ଲୀ ଏନସିଆରରେ ବଢୁଥିବା ପ୍ରଦୂଷଣ ମାମଲାକୁ ନେଇ ଶୁଣାଣି କ୍ରମରେ ଦିଲ୍ଲୀରେ ସ୍କୁଲ ଖୋଲିବା ନେଇ ୨୪ ଘଂଟାର ବିକଳ୍ପ ଦେଇଥିଲେ । କୋର୍ଟ କହିଥିଲେ କି ସରକାର ଏନେଇ ୨୪ ଘଂଟା ମଧ୍ୟରେ ପଦକ୍ଷେପ ନନେଲେ କୋର୍ଟ ନିଜ ତରଫରୁ ଆଦେଶ ଜାରି କରିବ । କୋର୍ଟ ଆହୁରି କହିଥିଲେ କି ବିପଦ ସମୟରେ ଅସାଧାରଣ ପଦକ୍ଷେପ ଉଠାଇବାର ଆବଶ୍ୟକତା ରହିଛି ଓ ପ୍ରତିଥର ଅମଲାତନ୍ତ୍ରକୁ କଣ କରିବା ଉଚିତ ତାହା କହିବାର ଆବଶ୍ୟକତା ନାହିଁ । ଅନ୍ୟପଟେ ଏନେଇ କେନ୍ଦ୍ର ସରକାରଙ୍କ ଉପରେ ବି ବର୍ଷିଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି କି, କେନ୍ଦ୍ର ଆୟୋଗ ଦିଲ୍ଲୀ ପ୍ରଦୂଷଣ ମାମଲାରେ କିଛି କରିବାକୁ ସକ୍ଷମ ହୋଇ ନାହାଁନ୍ତି । ଏହି ମାମଲାରେ ଆସନ୍ତାକାଲି ପୁଣି ଶୁଣାଣି ହେବ । କିନ୍ତୁ ମୁଖ୍ୟ ବିଚାରପତି ଏନ.ଭି ରମନ୍ନା ଦିଲ୍ଲୀ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହରି କରିଛନ୍ତି ।

 

କହିରଖୁ କି ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବା ପରେ ଦିଲ୍ଲୀ ସରକାର ପଦକ୍ଷେପ ସ୍ୱରୂପ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦେଇଥିଲେ । ଏହାସହ ସରକାରୀ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିଥିଲେ । ଏହାର କିଛିଦିନ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସ୍ଥିରଥିବା ଦର୍ଶାଇ ଦିଲ୍ଲୀ ସରକାର ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏନେଇ ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ କହିଥିଲେ କି ସରକାର ଯେତେବେଳେ ବୟସ୍କ ମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ସେତେବେଳେ ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଯିବାକୁ କିଭଳି ପରାମର୍ଶ ଦେଉଛନ୍ତି ।