ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ହେବ ଭାରତୀୟ ଦଳ ଘୋଷଣା । ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିବ ବିସିସିଆଇ

165

କନକ ବ୍ୟୁରୋ : ଓମିକ୍ରନ ଭୟ ଭିତରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା ହେବ । ଏବେ କେବଳ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରାଯିବ । ପରବର୍ତୀ ସମୟରେ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କରିବ ବିସିସିଆଇ । ଟେଷ୍ଟ ସିରିଜ୍ ପାଇଁ ଦଳରେ କାହାକୁ ସାମିଲ କରାଯିବ, ସେନେଇ ଚିନ୍ତାରେ ରହିଛି ବିସିସିଆଇ । ଖରାପ ଫର୍ମ ଥିବାରୁ ଆଜିଙ୍କ୍ୟ ରାହାଣେଙ୍କୁ ବାଦ୍ ଦିଆଯାଇପାରେ । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ପଦ ମିଳିପାରେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଶ୍ରେୟସ୍ ଆୟରଙ୍କୁ ଦଳରେ ସାମିଲ କରାଯିବା ଏକ ପ୍ରକାର ନିଶ୍ଚିତ ।

ସେହିପରି ଦକ୍ଷିଣ ଆଫ୍ରିକାରେ ‘ଇଣ୍ଡିଆ- ଏ’ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିବା ହନୁମା ବିହାରୀଙ୍କୁ ଦଳରେ ସାମିଲ କରାଯାଇପାରେ । ଏହା ସହ ଇଶାନ୍ତ ଶର୍ମାଙ୍କୁ ବାଦ୍ ଦିଆଯାଇପାରେ । ପ୍ରସିଦ୍ଧି କୃଷ୍ଣା ଓ ଆବେଶ ଖାନଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରେ । ବୁମ୍ରାହ ଓ ମହମ୍ମଦ ସାମି ଦଳକୁ ଫେରି ପାରନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ତିନିଟି ଟେଷ୍ଟ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ । ଡିସେମ୍ବର ୨୬ ତାରିଖରୁ ଟେଷ୍ଟ ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ସେଂଚୁରିଆନରେ ଖେଳାଯିବ । ଏହା ପରେ ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ରୁ ୭ ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ପାଇଁ ଏକ ସୁଖଦ ମୁଣ୍ଡବିନ୍ଧା ଅପେକ୍ଷା କରି ରହିଛି । କାରଣ ଦଳକୁ ଏକାଧିକ ବରିଷ୍ଠ ଖେଳାଳି ଫେରିବାର ଥିଲା ବେଳେ ସେମାନଙ୍କ ସ୍ଥାନ ନେଇଥିବା ଯୁବ ତାରକାମାନେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏଣୁ ଚୂଡ଼ାନ୍ତ ଦଳରେ କାହାକୁ ଖେଳାଇବେ ? କିଏ ବାଦ ପଡ଼ିବ ? ସେ ଚିନ୍ତା କୋହଲିଙ୍କୁ ଘାରିଛି। ସେହିଭଳି ରୋହିତ ଶର୍ମା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଭଳି ଖେଳାଳି ଫେରିବା ପରେ ଦଳରୁ କାହାକୁ ବାଦ୍ ଦେବେ ? କାହାକୁ ରଖିବେ ? ସେ କଥା ମଧ୍ୟ ଚୟନକର୍ତ୍ତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବାକୁ ଯାଉଛି । ଏକଥା କୋହଲି ମଧ୍ୟ ସ୍ବୀକାର କରିଛନ୍ତି । ପ୍ରଚୁର ବିକଳ୍ପ ଥିବାରୁ ଏହାକୁ ସେ ‘ସୁସ୍ଥ ମୁଣ୍ଡବିନ୍ଧା’ ଭାବେ ବର୍ଣ୍ଣନା କରିଛନ୍ତି । ‘‘ଏକଥା ଆମକୁ ଏବେ ଚୟନକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ହେବ ।

ଏଭଳି ମୁଣ୍ଡବିନ୍ଧା ସ୍ବାସ୍ଥ୍ୟ ପାଇଁ ଭଲ। ଆମ ମନରେ ଏଥିନେଇ କୌଣସି ଦ୍ବନ୍ଦ୍ବ ନାହିଁ। ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଭଳି ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ଖେଳିବା ପୂର୍ବରୁ ଆପଣ କଣ କରିବାକୁ ଚାହୁଁଛନ୍ତି, ସେଥି ନେଇ ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ବି ନୁହେଁ। ଯୁବ ଖେଳାଳିମାନେ ଟେଷ୍ଟ୍‌ କ୍ରିକେଟ୍‌ରେ ଭଲ ଖେଳିବା ଲାଗି ଦେଖାଇଥିବା ଭୋକ ମୋତେ ବହୁତ ଖୁସି ଦେଇଛି। ଟେଷ୍ଟ୍ କ୍ରିକେଟ୍ ଖେଳିବା ଲାଗି ଆପଣଙ୍କ ମନରେ ଅସୀମ ଏକାଗ୍ରତା ଓ ପ୍ରଗାଢ଼ ଭଲପାଇବା ରହିବା ଦରକାର। ଏଭଳି ଭାବନା ରଖିଥିବା ଅନେକ ଲୋକ ଚାରିପଟେ ଥିବାରୁ ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଏବେ ସୁରକ୍ଷିତ ହାତରେ ରହିଛି’’‌ ବୋଲି କହିଥିଲେ କୋହଲି।