ନକ୍ସଲ ପ୍ରଭାବିତ ବସ୍ତରରେ କିଭଳି ରହିଛି ନିର୍ବାଚନୀ ପ୍ରସ୍ତୁତି । ବହୁ ସଂଖ୍ୟାର ମାଓବାଦୀଙ୍କ ନିହତ ପରେ ବସ୍ତରରେ ବଢିବ କି ମତଦାନ ହାର

94

କନକ ବ୍ୟୁରୋ : ନକ୍ସଲ ପ୍ରଭାବିତ ଛତିଶଗଡର ବସ୍ତରରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟରେ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହା ପୂର୍ବରୁ ବହୁ ସଂଖ୍ୟାର ନକ୍ସଲ ନିହତ ହେବା ପରେ ଏଠାରେ ଶୃଙ୍ଖଳାର ସହ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି । କାରଣ ୧୬ ତାରିଖରେ ପୋଲିସ ଅପରେସନରେ ୩୮ ଜଣ ମାଓବାଦୀଙ୍କ ମୃତ୍ୟୁ ପରେ ବସ୍ତରବାସୀଙ୍କ ଆଖିରେ ସାହାସ ଦେଖିବାକୁ ମିଳିଛି ।

ବସ୍ତର ଏକ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ଆସନ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ଭିନ୍ନ ସମୟ ମତଦାନ ପାଇଁ ସ୍ଥିର କରାଯାଇଛି । ଏହାସହ ନିର୍ବାଚନ ଅଧିକାରୀ ଭୋଟରମାନଙ୍କୁ ନିର୍ଭୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ।

ବସ୍ତର ଲୋକସଭା ନିର୍ବାଚନରେ ମତଦାନ ପାଇଁ ମୋଟ ୧୯୬୧ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ୧୯୫୭ଟି ମୂଳ ମତଦାନ କେନ୍ଦ୍ର ରହିଥିବା ବେଳେ ୪ଟି ସହାୟକ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଲୋକସଭା କ୍ଷେତ୍ରରେ ଥିବା ୬ଟି ବିଧାନସଭା କ୍ଷେତ୍ର ପାଇଁ ସକାଳ ୭ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି କି ବସ୍ତର ଓ ଜଗଦଲପୁରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିଭଳି ୮୦୦ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ କରାଯିବ ।

ବସ୍ତର ଲୋକସଭା ନିର୍ବାଚନ ପାଇଁ ୧୧ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଏହା ମଧ୍ୟରୁ ୩ଜଣ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳରୁ ହୋଇଥିବା ବେଳେ ୬ ପ୍ରାର୍ଥୀ ପଞ୍ଜିକୃତ ଓ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି ।

ବସ୍ତର ଲୋକସଭା ଆସନରେ ମୋଟ ୧୪ ଲକ୍ଷ ୭୨ ହଜାର ଭୋଟର । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ପୁରୁଣ ଓ ୭ ଲକ୍ଷ ୭୧ ହଜାର ମହିଳା ଭୋଟର । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବା ମୁତାବକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠଶରେ ୬୦ ହଜାର ଯବାନ ମୁତୟନ କରାଯାଇଛି । ମୋଟ ବୁଥ୍ ମଧ୍ୟରୁ ୧୯୬ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି ।

ସେପଟେ ଯଦି ଆମେ ବସ୍ତର ଲୋକସଭା ଆସନର ଇତିହାସକୁ ଦେଖିବା ତେବେ ଏଠାରୁ ୫ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଜନତା ପାର୍ଟି ଗୋଟିଏ ଥର, ବିଜେପି ୫ ଥର ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୀପକ ବାଇଜୀ ବିଜେପି ପ୍ରାର୍ଥୀ ବାଇଦୁ ରାମ କସ୍ୟପଙ୍କୁ ପରାଜିତ କରିଥିଲେ ।