ଡହଡହ ଖରାରେ ଜମୁଛି ପ୍ରଚାର । କୋଟପାଡ ନିର୍ବାଚନ ମଣ୍ଡଳିରେ ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

78

କନକ ବ୍ୟୁରୋ: ଗାଁଠୁ ସହର ଏବେ ସବୁଠି ନିର୍ବାଚନୀର ଉଷ୍ମତା ବଢ଼ିବାରେ ଲାଗିଛି । କିଏ କାହାକୁ ଦେବ ଭୋଟ, ତାହା ତ ପରେ ଜଣାପଡ଼ିବ କିନ୍ତୁ ପ୍ରଚାର ମଇଦାନ ଜମିବାରେ ଲାଗିଛି । କୋଟପାଡ଼ ନିର୍ବାଚନ ମଣ୍ଡଳିରେ ପ୍ରତିଦ୍ୱନ୍ଦିତା ଜୋରଦାର ହେବାକୁ ଯାଉଛି । ମୁଖ୍ୟତ ୩ ମାଝିଙ୍କ ପ୍ରଚାର ଏବେ ସରଗରମ କରିଛି । କେତେବେଳେ ବିଧାୟକ ପ୍ରର୍ଥୀଙ୍କ ପାଇଁ ଏମପି ପ୍ରାର୍ଥୀ ଭୋଟ ମାଗୁଛନ୍ତି ତ ଆଉ କେତେବେଳେ ଏମପିଙ୍କ ପାଇଁ ବିଧାୟକ । କିଏ ନାଚି ନାଚି ଭୋଟ ମାଗୁଛି ତ ଆଉ କିଏ ହାତ ଯୋଡ଼ି ।

ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ କୋଟପାଡ଼ ନିର୍ବାଚନ ମଣ୍ଡଳୀ । ଓଡ଼ିଶା ଓ ଛତିଶଗଡ଼ ସୀମାରେ ରହିଛି କୋଟପାଡ଼ । ତେଣୁ ଏଠାରେ ଉଭୟ ରାଜ୍ୟର ନେତାଙ୍କ ଦବଦବା ଦେଖିବାକୁ ମିଳେ । ରାଜ୍ୟର ଶେଷ ସୀମାରେ ଥିବା ଏହି ନିର୍ବାଚନ ମଣ୍ଡଳିରେ ନବରଙ୍ଗପୁର ଓ କୋରାପୁଟ ନେତାଙ୍କ ପ୍ରଚାର ଜମୁଛି । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଓ କୋଟପାଡ଼ ବିଧାୟକ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ଗାଁ ଗାଁ ଓ ସାହି ସାହି ବୁଲି ଭୋଟ ମାଗୁଛନ୍ତି ।

ସେପଟେ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ଏବଂ ବିଧାୟକ ପ୍ରାର୍ଥୀ ଅନାମ ଦିଆନ ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ଲାଗିଛନ୍ତି । କେବଳ ଭୋଟ ମାଗୁନାହାନ୍ତି, ଭୋଟରଙ୍କ ସହ ମିଶି ଢ଼େମସା ନାଚ କରି ଆପଣାର କରିବାକୁ ଚେଷ୍ଟା କରୁଛନ୍ତି । କୋଟପାଡ଼ ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ । କଂଗ୍ରେସ ପ୍ରାର୍ଥୀ ୧୧ ଥର ବିଜୟୀ ହୋଇଥିବା ବେଳେ ମାତ୍ର ୨ ଥର ଜିତିଛନ୍ତି ଅନ୍ୟ ଦଳ ପ୍ରାର୍ଥୀ । ୨୦୧୯ରେ ବିଜେଡ଼ି ପଦ୍ମିନ୍ ଦିଆନ୍ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ର ଶେଖର ମାଝୀଙ୍କୁ ପରାସ୍ତ କରିଥିଲେ ।

ଏଥର କୋଟପାଡ ସମୀକରଣ ବଦଳିଛି । ଚନ୍ଦ୍ରଶେଖର ମାଝି କଂଗ୍ରେସ ଛାଡି ବିଜେଡ଼ିରେ ମିଶିବା ପରେ ଦଳ ପଦ୍ମିନୀ ଦିଆନଙ୍କ ଟିକେଟ୍ କାଟି ତାଙ୍କୁ ପ୍ରାର୍ଥୀ କରିଛି । ତେଣୁ ଗଡ ଦଖଲ ପାଇଁ ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଲଢେଇ ଚାଲିଛି । ସେପଟେ ବିଜେପି ପ୍ରାର୍ଥୀ ରୁପୁ ଭାତ୍ରା ମଧ୍ୟ ନିଜ ସମର୍ଥକଙ୍କୁ ଧରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ।