ମେହଦୀଙ୍କ ବିସ୍ଫୋରକ ଶତକ । ଭାରତ ସାମ୍ନାରେ ୨୭୨ ରନର ବିଶାଳ ବିଜୟଲକ୍ଷ୍ୟ ରଖିଲା ବାଂଲାଦେଶ ।

131

କନକ ବ୍ୟୁରୋ : ମେହଦି ହସନ ମିରାଜଙ୍କ ବିସ୍ଫୋରକ ଶତକ ବଳରେ ଭାରତ ସାମ୍ନାରେ ୨୭୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ଏକଦା ୬୯ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିବା ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଥିଲେ ଉଭୟ ମହମ୍ମଦୁଲ୍ଲା ଓ ମେହଦୀ ହସନ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ଦଳକୁ କେବଳ ସଙ୍କଟରୁ ଉଦ୍ଧାର କରିନଥିଲା ବରଂ ଟିମ୍ ଇଣ୍ଡିଆ ସାମ୍ନାରେ ଏକ ବିଶାଳ ବିଜୟଲକ୍ଷ୍ୟ ରଖିବାରେ ସକ୍ଷମ ହୋଇଥିଲା ବାଂଲାଦେଶ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ପ୍ରଥମରୁ ହିଁ ଝଟକା ଲାଗିଥିଲା । ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା ବାଂଲାଦେଶ । ତେବେ ପ୍ରଥମ ଦିନିକିଆର ହିରୋ ମେହଦୀ ହସନ ଓ ମହମ୍ମଦୁଲ୍ଲାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ କେବଳ ବାଂଲାଦେଶକୁ ବିପର୍ଯ୍ୟୟରୁ ରକ୍ଷା କରିନଥିଲା ବରଂ ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲା । ଗୋଟିଏ ପଟେ ମହମ୍ମଦୁଲ୍ଲା ବେଶ ସତର୍କତାର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ମେହଦୀ ହସନ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ । ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଶତକ ହାସଲ କରିବା ସହ ଭାରତ ସାମ୍ନାରେ ୨୭୨ ରନର ବିଜୟଲକ୍ଷ୍ୟ ରଖିଥିଲା । ଶେଷ ୫ ଓଭରରେ ଟିମ୍ ଇଣ୍ଡିଆ ୬୮ ରନ୍ ବ୍ୟୟ କରିଥିବା ବେଳେ ମାତ୍ର ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲା ।