ବିଶ୍ୱକପ୍ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା, ଅବସର ଘୋଷଣା କଲେ କ୍ୟାପଟେନ ତାମିମ୍ ଇକବାଲ

1,025

କନକ ବ୍ୟୁରୋ : ୨୦୨୩ ଏକଦିବସୀୟ ବିଶ୍ୱକପ୍ କ୍ରିକେଟ ମ୍ୟାଚ ଅକ୍ଟୋବର -ନଭେମ୍ବର ମାସରେ ଭାରତରେ ଖେଳାଯିବ । ହେଲେ ବିଶ୍ୱକପର ୩ମାସ ପୂର୍ବରୁ ବାଂଲାଦେଶ କ୍ରିକେଟ ଟିମକୁ ବଡ ଝଟକା ଲାଗିଛି । ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ତାମିମ୍ ଇକବାଲ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅବସର ଘୋଷଣା ସହ ୩୪ ବର୍ଷିୟ ତାମିମ୍ ଇକବାଲଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ସମାପ୍ତ ହୋଇଛି । ସେପଟେ ତାମିମ୍ ଇସ୍ତଫା ଦେବା ପରେ ବାଂଲାଦେଶ କ୍ରିକେଟ ଟିମର କିଏ ଅଧିନାୟକ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଶାକିବ ଅଲ୍ ହସନ ଟି-୨୦ ରେ ଅଧିନାୟକ ଥିବା ବେଳେ ଲିଟନ ଦାସ ଟେଷ୍ଟ ଫର୍ମାଟ ପାଇଁ କ୍ୟାପଟେନ ରହିଛନ୍ତି ।

ଅବସର ଘୋଷଣା ନେଇ ତାମିମ୍ ଇକବାଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବାଂଲାଦେଶ ଚଟଗାଓଁ ଠାରେ ଆଫଗାନିସ୍ତାନ ଠାରୁ ୧୭ ରନରେ ପରାଜିତ ହେବା ପରେ ତାମିମ୍ ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ତମିମ ଭାବବିହ୍ୱଳ ହୋଇ ଅବସର ଘୋଷଣା କରିଥିବା ଦେଖିବାକୁ ମିଳିଛି ।

ତାମିମ୍ ଇକବାଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ୭୦ ଟେଷ୍ଟ ମ୍ୟାଚ ଖେଳି ୫୧୩୪ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ୧୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ଏକଦିବସୀୟ ମ୍ୟାଚରେ ତମିମ୍ ମୋଟ ୮୩୧୩ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ୧୪ ଟି ଶତକ ଓ ୫୬ ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପଟେ ଫଟାଫଟ୍ କ୍ରିକେଟ ଟି-୨୦ ରେ ତମିମ୍ ୭୮ ଟି ମ୍ୟାଚ ଖେଳି ୧୭୫୮ ରନ ସଂଗ୍ରହ ଣିଥିଲେ । ଟି-୨୦ ଫର୍ମାଟରେ ତମିମ୍ ଗୋଟିଏ ଶତକ ଓ ୭ଟି ଅଦ୍ଧଶତକ କରିବାରେ ସଫଳ ହୋଇଥିଲେ ।