ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା । ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସୁଥିବାରୁ ମିଳିଲା କ୍ଷମତା, ମୁକାବିଲା ପାଇଁ ହେଲିକପ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ।

179

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ ଆସୁଥିବା ବଡ଼ ବନ୍ୟାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ପରିସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସଆରସି କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ଏହି କ୍ଷମତା ଦିଆଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହ ଜରୁରୀକାଳୀନ ପରିସ୍ଥତିର ମୁକାବିଲା କରିବାକୁ ଏକ ହେଲିକପ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଏସଆରସି କହିଛନ୍ତି, ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବାରୁ ଏହା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ୨୦୦୮ ପରଠୁ ଏଭଳି ବନ୍ୟା ଲୋକେ ଦେଖିନଥିବେ ବୋଲି ଏସଆରସି କହିଛନ୍ତି । ବିଶେଷକରି ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ନିଶ୍ଚିତ ବନ୍ୟା ଆସିବ । ତେବେ ଯେପରି କୌଣସି ଜୀବନହାନୀ ନ ହେବ ତାହା ଉପରେ ଏସଆରସି ଗୁରୁତ୍ୱ ଦେଇଛନ୍ତି । ବନ୍ୟା ବେଳେ ସତର୍କ ରହିବାକୁ ଏସଆରସି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିଲେ ମଧ୍ୟ ବଡ଼ ବନ୍ୟାର ସମ୍ଭବନା ନ ଥିବା ଏସଆରସି କହିଛନ୍ତି । ସୁବର୍ଣ୍ଣରେଖା ଏବଂ ବୈତରଣୀ ନଦୀରେ ବନ୍ୟା ଆସୁଥିବାରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ହାଇ ଆର୍ଲଟରେ ରଖଯାଇଛି । ମୁକାବିଲା ପାଇଁ ପ୍ରଶାସନକୁ ପ୍ରସ୍ତୁତ ରଖାଯାଇଛି ।

ବାଲେଶ୍ୱର ଏବଂ ମୟୁରଭଞ୍ଜକୁ ୫୮ଟି ଓଡ୍ରାଫ୍ ଏବଂ ଅଗ୍ନିଶମ ଟିମ୍ ପଠାଯାଇଛି । ବାଲେଶ୍ୱରରେ ଲୋକଙ୍କ ଉଦ୍ଧାର ପାଇଁ ୪୦ଟି ଅପରେସନ୍ ଟିମ୍ ସଜାଗ ରହିଥିବା ଏସଆରସି କହିଛନ୍ତି । ଖାରଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ଲକ୍ଷ କ୍ୟୁସେକ ପାଣି ଓଡ଼ିଶା ଆସୁଛି । ଖାଡ଼ଖଣ୍ଡରେ ଅଧିକ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜର ୧୬ ଟି ଗେଟ ଖୋଲା ରହିଛି । ମନ୍ତ୍ରୀ ପ୍ରତାପ ଦେବ ବନ୍ୟା ସ୍ଥିତିର ସମୀକ୍ଷା କରୁଥିବା ସୂଚନା ମିିଳିଛି ।