ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ

102

କନକ ବ୍ୟୁରୋ: ବଡ଼ମ୍ବା ଚିନିକଳ ନିଲାମ ପ୍ରତିବାଦରେ ବିଜେପିର ବିଶାଳ ଜନ ଆକ୍ରୋଶ ସମାବେଶ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ସମାବେଶରେ ଯୋଗ ଦେବା ସହ ସରକାରଙ୍କ ଉଦାସୀନତା ବିରୋଧରେ ବର୍ଷିଛନ୍ତି । ବଡ଼ମ୍ବା କୋଲେଶ୍ୱର ଶିବ ମନ୍ଦିର ସୁନାପାଳ ଠାରୁ ବଡ଼ମ୍ବା କଚେରି ପଡିଆ ପର୍ଯ୍ୟନ୍ତ ପଦଯାତ୍ରାରେ ଆସିବା ପରେ ସମାବେଶ କରିଛି ବିଜେପି । ପୁନରୁଦ୍ଧାର ଦାବି କରି ବଡମ୍ବା ତହସିଲ ଆଗରେ ଦୁଇମାସ ଧରି ଧାରଣାରେ ବସିଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେବାରୁ ଜନଆକ୍ରୋଶ ସମାବେଶ କରିଛି ବିଜେପି ।

  • ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ
  • ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ

୪୦ ବର୍ଷ ତଳେ ହଜାର ହଜାର ଚାଷୀଙ୍କ ଆଶା ଭରସାକୁ ନେଇ ଗଢ଼ି ଉଠିଥିଲା ବଡ଼ମ୍ବା ଚିନିକଳ । ଅବିଭକ୍ତ କଟକ ଜିଲ୍ଲାରେ କୃଷିଭିତିକ ଶିଳ୍ପ ଭାବେ କମ୍ ଦିନ ମଧ୍ୟରେ ବେଶ ପ୍ରତିଷ୍ଠା ଲାଭ କରିଥିଲା । କିନ୍ତୁ ସରକାରଙ୍କ ଉଦାସୀନତା ଯୋଗୁଁ ଏବେ ଏହି ଚିନିକଳ ଅକ୍ଟୋବର ୧୩ ତାରିଖରେ ନିଲାମ ହେବାକୁ ଯାଉଛି । ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜୁଥିବା ବେଳେ ଚିନିକଳର ପୁନରୁଦ୍ଧାର ପାଇଁ ଦାବି କରୁଛି ବିଜେପି । ଏପଟେ ସରକାରଙ୍କ ଉଦାସୀନତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଦେବୀପ୍ରସାଦ ମିଶ୍ର ।

ଦୀର୍ଘଦିନ ଧରି ତାଲା ପଡ଼ିବା ପରେ ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ମୀପତି ବାଲାଜୀ ସୁଗାର ଆଣ୍ଡ ଡିଷ୍ଟିଲେରିସ୍ ପ୍ରାଇଭେଟ୍ ଲିମିଟେଡ୍କୁ ନିଲାମ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମୁମ୍ବାଇ ସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଋଣ ନେଇଥିଲା ଲକ୍ଷ୍ମୀପତି ବାଲାଜୀ ସୁଗାର । ପରିଶୋଧ ନକରି ପାରିବାରୁ ଏବେ ବକେୟା ଦେୟ ୩୬୯ କୋଟିରେ ପହଁଚିଛି । ଏହାକୁ ଭରଣା କରିବା ପାଇଁ ବନ୍ଧା ପଡିଥିବା ପ୍ଲାଣ୍ଟ ଓ ମେସିନାରୀକୁ ନିଲାମ କରିବା ପାଇଁ ଇସ୍ତାହାର ଜାରି କରିଛି ଋଣ ଅସୁଲ ପ୍ରାଧିକରଣ ।