ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା ଶିଖିବା ଦରକାର ନାହିଁ’

714

କନକ ବ୍ୟୁରୋ : ବାକସ୍ୱାଧିନତା କଣ ତାହା ଆମର ଅନ୍ୟମାନଙ୍କଠାରୁ ଶିଖିବା ଦରକାର ନାହିଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆମେରିକା ଗସ୍ତରେ ଥିବା ଜୟଶଙ୍କର ଶୁକ୍ରବାର ୱାସିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କାନାଡାକୁ କଡା ନିନ୍ଦା କରିଛନ୍ତି । ଭାରତ-କାନାଡା କୂଟନୈତିକ ତିକ୍ତତାକୁ ନେଇ ଜୟଶଙ୍କର ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖି କହିଛନ୍ତି, ଆତଙ୍କବାଦ, ଉଗ୍ରବାଦ ଓ ହିଂସା ପ୍ରତି କାନାଡାର କୋହଳ ମନୋଭାବ ସମସ୍ୟା ସୃଷ୍ଟି କରୁଛି । ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ବାକସ୍ୱାଧିନତା କଣ ସେ ବିଷୟରେ ଅନ୍ୟମାନଙ୍କଠାରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜୟଶଙ୍କର ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାକୁ ନେଇ ଭାରତ ଉପରେ ଦୋଷ ଲଦିବା ପରେ କାନାଡା – ଭାରତ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଛି । ଖୁଲମଖୁଲା ଖଲିସ୍ତାନୀ ସଙ୍ଗଠନଙ୍କୁ ସମର୍ଥନ କରୁଛି କାନାଡା । ଏହାକୁ ନେଇ କାନାଡା ଉପରେ ବର୍ଷିଛନ୍ତି ଜୟଶଙ୍କର । କାନାଡାରେ, ଭାରତୀୟ ଦୂତାବାସ ଉପରେ ଆକ୍ରମଣ ହେଉଛି, ଭାରତୀୟ କୂଟନୈତିଜ୍ଞଙ୍କୁ ଦୁର୍ବ୍ୟବହାର କରାଯାଉଛି, ସେମାନଙ୍କ ପୋଷ୍ଟର ମରାଯାଉଛି । କୌଣସି ଦେଶ ନିଜ ବିରୋଧରେ ଏଭଳି ଘଟଣାକୁ କିପରି ଗ୍ରହଣ କରିବା କଥା ପ୍ରଶ୍ନ କରିଛନ୍ତି ଜୟଶଙ୍କର ।

ନିଜ୍ଜାର ମୃତ୍ୟୁ ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ମତପାର୍ଥକ୍ୟର ସମାଧାନ ପାଇଁ ଭାରତ ଓ କାନାଡା ସରକାର ପରସ୍ପର ସହ ଆଲୋଚନା କରିବା ଉଚିତ୍ । ହେଲେ କାନାଡା ଯେଉଁଭଳି ଆଭିମୁଖ୍ୟ ଦେଖାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଏସ୍. ଜୟଶଙ୍କର । ଏ ବିଷୟରେ ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଆଂଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିଛନ୍ତି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ । ଆଉ ଏହାକୁ ନେଇ କାନାଡା ଭିତରେ ବି ଛନକା ପଶିଛି । ଫଳରେ ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ଏବେ ମନ ବଳାଇଲେଣି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।