ଟି-୨୦ ବିଶ୍ୱକପରେ କୋହଲିଙ୍କ କାନରେ କଣ କହିଥିଲେ ପାକିସ୍ତାନ ଅଧିନାୟକ? ସାମ୍ବାଦିକଙ୍କ ପ୍ରଶ୍ନର ଏମିତି ଉତ୍ତର ରଖିଲେ ବାବର ।

226

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ପ୍ରଥମଥର ଭାରତକୁ ମାତ୍ ଦେଇ ଇତିହାସ ରଚିଥିଲା ପାକିସ୍ତାନ । ପ୍ରଥମ ଥର ପାଇଁ ବିଶ୍ୱକପ ମୁକାବିଲାରେ ଭାରତ ବିପକ୍ଷରେ ବିଜୟ ହାସଲ କରିଥିଲା ପାକିସ୍ତାନ । ଏହି ମ୍ୟାଚରେ ଭାରତ ୧୦ ୱିକେଟରେ ମାତ୍ ଖାଇବା ସହ ଶୋଚନୀୟ ପରାଜୟ ବରଣ କରିଥିଲା । ତେବେ ଏହି ମ୍ୟାଚରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ସାମ୍ନାକୁ ଆସିଥିଲା । ଖାସକରି ଟସ୍ ପଡିବା ସମୟରେ ଉଭୟ ଦେଶର ଅଧିନାୟକ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଉପରେ ସମସ୍ତଙ୍କର ନଜର ଥିଲା । ଟସ୍ ସମୟରେ ପାକିସ୍ତାନ ଅଧିନାୟକ ବାବର ଆଜମ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କାନରେ କିଛି କହିଥିଲେ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ କୋହଲିଙ୍କ କାନରେ ବାବର କଣ କହିଥିଲେ ତାହା କାହାକୁ ଜଣାନଥିଲା ।

ତେବେ ଏବାବଦରେ ଯେତେବେଳେ ବାବର ଆଜମଙ୍କୁ ପଚରାଗଲା ସେତେବେଳେ ଏହାର ଜବାବ ଦେବାକୁ ଯାଇ ବାବର କହିଥିଲେ, ଆମ ଭିତରେ କଣ କଥା ହୋଇଥିଲା ତାହା ସମସ୍ତଙ୍କ ସାମ୍ନାରେ କହିବା ଠିକ୍ ହେବ ନାହିଁ । ଏହାଛଡ଼ା ବିରାଟଙ୍କୁ ଉଭୟ ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ହଟାଇବା ବାବଦରେ ଯେତେବେଳେ ବାବରଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ଏହାକୁ ଏଡାଇ ଯାଇଥିଲେ । କେବଳ ୱେଷ୍ଟଇଣ୍ଡିଜ ସିରିଜ ବାବଦରେ ପ୍ରଶ୍ନ କରିବାକୁ ପାକିସ୍ତାନ ମିଡିଆ ମ୍ୟାନେଜର ସାମ୍ବାଦିକଙ୍କୁ କହିଥିଲେ ।

ଚଳିତ ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଥିଲା । ଅନ୍ୟପଟେ ପାକିସ୍ତାନ ଦମଦାର ପ୍ରଦର୍ଶନ ସହ ସେମିଫାଇନାଲ ଟିକେଟ ହାତେଇଥିଲା । ତେବେ ସେମିଫାଇନାଲ ମୁକାବିଲାରେ ପାକିସ୍ତାନକୁ ମାତ୍ ଦେଇଥିଲା ଅଷ୍ଟ୍ରେଲିଆ । ଆଉ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଚାମ୍ପିୟନ ଟାଇଟଲ ହାତେଇଥିଲା ଅଷ୍ଟ୍ରେଲିଆ ।