ଯେବେ ଦେଶ ଦେଉଥିଲା ବୀରଯୋଦ୍ଧାଙ୍କୁ ବିଦାୟ… ସେବେ ସିଡିଏସଙ୍କ ଫଟୋକୁ ଗେଲ କରି ବତୁରା ବିଦାୟ ଦେଲା କୁନିଝିଅ ।

172

କନକ ବ୍ୟୁରୋ: ନା ସେ ସେନାବାହିନୀ କଣ ଜାଣିଛି ନା ସିଡିଏସ ପଦବୀର ସଂଜ୍ଞା ବୁଝିଛି । ତାକୁ ବି ଜଣା ନାହିଁ ଏ ଫଟୋରେ ଥିବା ବ୍ୟକ୍ତି କିଏ ବୋଲି । ସହିଦ ସିଡିଏସ ବି ତା ସମ୍ପର୍କୀୟ ନୁହଁନ୍ତି କି ଚିହ୍ନାଜଣା ନୁହଁନ୍ତି… ତଥାପି ସେ କାନ୍ଦୁଛି, ଆଖି ଛଳ ଛଳ କରୁଛି, ତା କୁନି କଣ୍ଠ ବି କୋହରେ ଭରିଯାଉଛି । ସମ୍ମାନ, ଦେଶପ୍ରେମ ଆଗରେ ସେ ମଥାନତ କରୁଛି ।

ବାସ୍ ଏ କୁନି ଝିଅକୁ ଏତିକି ଜଣାଅଛି କେହି ଜଣେ ବଡ ଲୋକଙ୍କ ଦେହାନ୍ତ ହୋଇଛି । କେହି ଜଣେ ମହାନ ବ୍ୟକ୍ତିତ୍ୱ ଆମ ସମସ୍ତଙ୍କୁ ଛାଡି ପଳାଇ ଯାଇଛନ୍ତି । ଯାହାଙ୍କୁ ଝୁରୁଛନ୍ତି ସମସ୍ତେ, ମନେ ପକାଉଛି ସାରା ଭାରତ । ଫଟୋରେ ଝୁଲୁଛି ଫୁଲର ହାର, ତଳେ ଜଳୁଛି ଯୋଦ୍ଧାଙ୍କ ପାଇଁ ବୀରତ୍ୱର ଧୂପଦୀପ । ବିଦାୟ ପାଇଁ ସଜଡା ଚାଲିଛି ଶୋକର ସଭା । ବତୁରୁଛି ଆଖି, ଭିଜୁଛି ଛାତି । ଆଉ ଏତିକି ବେଳେ ସେନାପତିଙ୍କୁ ସଲାମ ଦେବାକୁ ଫଟୋକୁ ଧରି ଗେଲ କରିଛି କୁନିଝିଅ, ଦେଇଛି ବୀରଯୋଦ୍ଧାଙ୍କୁ ବୀରତ୍ୱର ବତୁରା ବିଦାୟ…

 

ଉଫ୍… କି ମୁହୂର୍ତ୍ତ ଇଏ । ରକ୍ତ ସମ୍ପର୍କ ନଥାଇ ବି ରାୱତଙ୍କ ପାଇଁ କାନ୍ଦୁଛି କୁନିଝିଅ । ଫଟୋକୁ ଜାବୁଡି ଧରୁଛି, ଗେଲ କରୁଛି । ଏମିତି ଲାଗୁଛି ସତେ ଯେମିତି କଅଁଳ ଶିଶୁ ନିଜ ପରିବାରର କାହାକୁ ହରାଇଛି । ହେଲେ ନା ? ରକ୍ତ ସମ୍ପର୍କ ଉପରେ ବି ଦେଶଭକ୍ତିର ସମ୍ପର୍କ କୁନି ଝିଅକୁ ବାନ୍ଧି ରଖିଛି । କୁନି ଝିଅ କିଏ ? କେଉଁଠି ତା ଘର? କଣ ତାର ପରିଚୟ? କିଛି ଜଣା ନଥିଲେ ବି ସୋସସିଆଲ ମିଡିଆରେ ଭାଇରାଲ ହେଉଛି ଏ ଭାବଭରା ଫଟୋ । ଆଉ ଏ ଗୋଟିଏ ଫଟୋ କହୁଛି, ସିଡିଏସ ବିପିନ ରାୱତଙ୍କୁ କେତେ ଝୁରୁଛି ଦେଶ । କେତେ ମନେ ପକାଉଛନ୍ତି କୋଟି କୋଟି ଲୋକ ।

ଆଉ ଫେରିବେନି ବୀରଯୋଦ୍ଧା । ଅଫେରା ରାଇଜକୁ ସବୁଦିନ ଲାଗି ଚାଲିଯାଇଛନ୍ତି ସିଡିଏସ ବିପିନ ରାୱତ । ଆଠ ତାରିଖ ଦିନ ହେଲିକପ୍ଟର ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି ଭାରତୀୟ ସେନାର ଭୀଷ୍ମପିତାମହ ବିପିନ ରାୱତ । ତାମିଲନାଡୁ କୁନ୍ନୁରରେ ହୋଇଥିବା ବାୟୁସେନା ଚପର କ୍ରାସରେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସହ ୧୧ ଜଣ ଯବାନ ସହିଦ ହୋଇଥିଲେ । ଯହାଙ୍କୁ ଆଜି ବି ଝୁରୁଛି ସାରା ଦେଶ । ପଞ୍ଚଭୂତରେ ଲୀନ ହେବା ପରେ ବିପିନ ରାୱତଙ୍କୁ ସିନା ସାରା ଦେଶ ଶେଷ ବିଦାୟ ଦେଇଛି । ହେଲେ ଏବେବି ଲାଗୁଛି ବିପିନ ରାୱତ ବଞ୍ଚିଛନ୍ତି, ଆମ ଗହଣରେ ଅଛନ୍ତି । ଆଉ ଏ କୁନିଝିଅର ସ୍ନେହବୋଳା ବିଦାୟର ଫଟୋ ପୁଣି ଥରେ ଆଖିରେ ଅଶ୍ରୁର ବନ୍ୟା ଆଣିଛି…