ଜ୍ୟୋତିଷ ହୋଇ କରୁଥିଲେ ଭବିଷ୍ୟବାଣୀ : ନିଯୁକ୍ତିି ଦେବା ଆଳରେ ବେକାର ଯୁବକ-ଯୁବତୀଙ୍କ ଲୁଟିଥିଲେ; ମିଛ ୱେବସାଇଟ୍ ଖୋଲି ଲୋକଙ୍କୁ ଲଗାଉଥିଲା ଚୁନା

326

କନକ ବ୍ୟୁରୋ : ଧରାପଡିଲା ଠକ ଜ୍ୟୋତିଷ ବିନୟ କୁମାର ଦାସର କାରନାମା । ତା ନାଁରେ ଆସିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ନିଯୁକ୍ତି ଦେବା ଆଳରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଠକୁଥିଲା । ଏପରିକି ନିଜେ ଜ୍ୟୋତିଷ ଶାସ୍ତ୍ରରେ ବିଶାରଦ କହି ଲୋକଙ୍କ ମିଛ ଭବିଷ୍ୟବାଣୀ ବି କରୁଥିଲା । ମିଛ ଭବିଷ୍ୟବାଣୀ କରି ବହୁ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନା ବି ଲଗାଇଛି ଠକ ବିନୟ ।

ବିଏ ପାସ କରିଥିବା ଜଗତସିଂହପୁର ବିରିଡି ଅଞ୍ଚଳର ବିନୟ କୁମାର ଦାସର ଗିରଫଦାରୀ ପରେ ଏଭଳି ସାଂଘାତିକ ତଥ୍ୟ ସବୁ ସାମନାକୁ ଆସିଛି । ଆଡଭାନସଡ ଏ ଟି ଜେଡ ସଲ୍ୟୁସନ ନାମରେ ଏକ କମ୍ପାନୀ ଖୋଲି ଲୋକଙ୍କୁ ମିଛ ନିଯୁକ୍ତିର ପ୍ରତିଶ୍ରୁତି ଦେଖାଉଥିଲା । ଏପରିକି ଶିକ୍ଷକତା, ବ୍ୟାଙ୍କିଙ୍ଗ,ଆଇଟି ଇଂଜିନିୟର,ସ୍ୱାସ୍ଥ୍ୟସେବା, ମାର୍କେଟିଙ୍ଗ କ୍ଷେତ୍ରରେ କର୍ମନିଯୁକ୍ତିର ଲୋଭ ଦେଖାଉଥିଲା । ଅନଲାଇନରେ ବରକନ୍ୟା ଯୋଗାଡ ପାଇଁ ଫେକ ମାଟ୍ରିମୋନି ସାଇଟ ବି ଖୋଲିଥିଲା ।

ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ଥିବା କହି ଏ ଟୁ ଜେଡ ଆଷ୍ଟ୍ରୋ ଡଟ କମ ନାମକ ଏକ ୱେବସାଇଟ ବି ଖୋଲିଥିଲା । ହୋମ ସର୍ଭିସ ଦେବା ନାଁରେ ବି ଏ ଟୁ ଜେଡ୍ କ୍ୱିକ ସର୍ଭିସ ନାଁରେ ଏକ ୱେବସାଇଟ ବି ଖୋଲିଥିଲେ । ଯିଏ ଯୋଗାଯୋଗ କରୁଥିଲେ ସେମାନଙ୍କ ନମ୍ବରକୁ ଟ୍ରାପ କରିବା ଆରମ୍ଭ କରିଦେଉଥିଲା ଠକ ବିନୟ । ନିଜ ଅଫିସକୁ ଡାକି ପଂଜୀକରଣ ଆଳରେ ପର୍ଯ୍ୟାୟକ୍ରମେ ଟଙ୍କା ଲୁଟୁଥିଲା ।

ଏପରିକି ସନ୍ଦେହ ନହେବାପାଇଁ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ବି ଜାରି କରିଥିଲା । ପାରାଦୀପ, ବଲାଙ୍ଗୀର ଓ କୋରାପୁଟରେ ବି ନିଜ ଅଫିସକୁ ଖୋଲିଥିଲା । କିନ୍ତୁ ଧରାପଡିବା ପରେ ନିଜ ଅଫିସ ପଞ୍ଜିକରଣ ବାବଦ କୌଣସି କାଗଜପତ୍ର ଦେଖାଇ ପାରିନଥିଲା । ବର୍ତମାନ ତଦନ୍ତରେ ଅଧିକ ତଥ୍ୟପାଇଁ ବାଦାମବାଡି ଥାନା ପୁଲିସ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟକୁ ଅଧିକ ତଥ୍ୟ ମାଗିଛି ।