ବେଙ୍ଗଲୁରୁରେ ପାଣି ପାଇଁ ହାହାକାର । ଟ୍ୟାଙ୍କର ଉପରେ ଭରସା କରି ବଞ୍ଚୁଛନ୍ତି ସହରବାସୀ

95

କନକ ବ୍ୟୁରୋ : ପାଣି ପାଇଁ ଲାଗିଛି ଲମ୍ବା ଲାଇନ୍ । ପାଣି ବାଲଟିଏ ପାଇଁ ଘଂଟା ଘଂଟା ଧରି ଅପେକ୍ଷା । ଟ୍ୟାଙ୍କର ପାଣିକୁ ଭରସା । ପୁଣି ପାଣି ଲିଟର ଦର ବି ବଢ଼ିଚାଲିଛି । ଏହି ସମସ୍ୟା ଦେଶର କୌଣସି ପଛୁଆ ଅଞ୍ଚଳର ନୁହେଁ, ବରଂ ଦେଶର ଆଇଟି ହବ୍ ବେଙ୍ଗଲୁରୁରୁ ଆସିଛି ଏହି ସମସ୍ୟା ।

କିଛି ମାସ ତଳେ ପାଣି ଘେରରେ ଅଣନିଶ୍ୱାସୀ ହୋଇପଡ଼ିଥିବା ବେଙ୍ଗଲୁରୁ ଏବେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛି । ଖରାଦିନ ଆରମ୍ଭରୁ ହିଁ ବେଙ୍ଗଲୁରୁ ପାଇଁ ଆସିଛି ସମସ୍ୟା । ସହରର ଅଧିକାଂଶ ସ୍ଥାନରେ ପାଣିର ଅଭାବକୁ ନେଇ ହାହା କାର । ଗଳିକନ୍ଦିଠୁ ନେଇ ବଡ ବଡ ବିଲଡିଂର ଟ୍ୟାପରୁ ଆସୁନି ପାଣି । ପାନୀୟଜଳ ଅଭାବରେ ମଧ୍ୟ ହନ୍ତସନ୍ତ ଲୋକେ । ଖାଲି ସାଧାରଣ ଲୋକ ନୁହଁନ୍ତି ନେତା,ମନ୍ତ୍ରୀ ମଧ୍ୟ ଏବେ ପାଣି ଅଭାବ ଦେଇ ଗତି କରୁଛନ୍ତି । ସରକାରଙ୍କ ଦ୍ୱାରା ପାଣି ଟ୍ୟାଙ୍କରେ ପାନୀୟ ଜଳ ଯୋଗାଯାଉଛି । ଟ୍ୟାଙ୍କରରୁ ପାଣି ନେବାକୁ ସହରବାସୀଙ୍କ ଲମ୍ବା ଭିଡ଼ ଲାଗୁଛି । ହେଲେ ଏହି ପାଣି ସହରବାସୀଙ୍କ ଆବଶ୍ୟକତା ପୂରଣ କରିବାକୁ ଖୁବ୍ କମ୍ ପଡ଼ୁଛି ।

ବେଙ୍ଗଲୁରୁ ସହର ପାଇଁ ଦିନକୁ ୨୬ ଶହରୁ ୨୮ ଶହ ମିଲିୟନ ଲିଟର ଆବଶ୍ୟକତା ପଡ଼େ । ହେଲେ ଏବେ ୧୫ଶହରୁ ଅଧିକ ମିଲିୟନ ଲିଟର ଅଭାବ ପଡ଼ୁଛି । ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ଏହି ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ । ସ୍ଥିତିର ମୁକାବିଲା ପାଇଁ କର୍ଣ୍ଣାଟକ ସରକାର ଜୋରଦାର ପ୍ରୟାସ କରୁଛନ୍ତି । ସ୍ୱତନ୍ତ୍ର ହେଲପଲାଇନ ଓ କଂଟ୍ରୋଲ ରୁମ୍ ଲୋକଙ୍କ ପାଇଁ ଖୋଲାଯାଇଛି । ଏହାସହ ସ୍ଥାନୀୟ ବିଧାୟକଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ପାଣି ଅଭାବକୁ ନେଇ ପାଣି ଟ୍ୟାଙ୍କର ଦାମ୍ ମଧ୍ୟ ବଢ଼ିଚାଲିଛି । ୨୦୦ ଘରୋଇ ଟ୍ୟାଙ୍କର ପାଣି ଯୋଗାଉଛି । ଆଗରୁ ଯେଉଁ ଟ୍ୟାଙ୍କର ଏକ ହଜାର ଟଙ୍କାରେ ମିଳୁଥିଲା, ତାହା ଏବେ ୨ ହଜାର ଟଙ୍କାରେ ପହଂଚିଛି ।

ସ୍ଥିତି ଦେଖି ପାଣିର ଅପବ୍ୟହାର ନକରିବାକୁ କୁହାଯାଇଛି । ଏପରିକି ପାଣିର ଅପବ୍ୟବହାର ପ୍ରମାଣିତ ହେଲେ ଜରିମାନା ଲଗାଯିବାର ବ୍ୟବସ୍ଥା କରାଯାଇଛି । କିଛି ହାଉସିଂ ସୋସାଇଟି ଉପରେ ଜରିମାନା ଲଗାଯାଇଥିବାର ଖବର ମିଳିଛି ।