ତୈଳଦର ବୃଦ୍ଧି ନେଇ ନିଆରା ପ୍ରତିବାଦ । ଥାନାରେ ହର-ପାର୍ବତୀ

205

କନକ ବ୍ୟୁରୋ : ଦେଶର ନାଗରିକ, ବୁଦ୍ଧିଜୀବୀ ସମାଜ ଓ ନେତା ମନ୍ତ୍ରୀମାନେ ଏବେ ମୂଳ ପ୍ରସଙ୍ଗରୁ ଅନେକ ଦୂରକୁ ଚାଲିଯାଉଥିବା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ । ସରକାରଙ୍କ ଅତ୍ୟାଧିକ କର , ଶିକ୍ଷାର ବଜାରୀକରଣ, ସ୍ୱାସ୍ଥ୍ୟ ସମସ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବା ବେଳେ ଏବେ ଜାତି, ଧର୍ମ ଓ ଆସ୍ଥାକୁ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି । ପ୍ରଥମେ ମା’ କାଳୀଙ୍କ ପୋଷ୍ଟରକୁ ନେଇ ବିବାଦ ଥମି ନଥିବା ବେଳେ ଆଜି ପୁଣି ହର-ପାର୍ବତୀ ବେଶରେ ଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି ।

ଆସାମ ହିନ୍ଦୁବାଦୀ ସଂଗଠନଗୁଡିକର ଅଭିଯୋଗ କ୍ରମେ ଆଜି ଆସାମ ପୋଲିସ ହର -ପାର୍ବତୀ ବେଶରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ୍ କରିଛି । ଅଭିଯୋଗ ହୋଇଛି କି ଏହି ଦୁଇଜଣ ଦେଶରେ ବଢୁଥିବା ଇନ୍ଧନ ଦର ବିରୋଧରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି । ଏହି ବ୍ୟକ୍ତି ଦୁଇଜଣ ନିଜକୁ ଭଗବାନ ଶିବ ଓ ପାର୍ବତୀଙ୍କ ବେଶରେ ଏକ ବୁଲେଟ ଗାଡିରେ ବୁଲି ବୁଲି ଇନ୍ଧନ ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରୁଥିଲେ । ଗିରଫ ହେବା ପରେ ଉଭୟ କହିଛନ୍ତି କି ସେମାନେ ପେଶାରେ ଜଣେ ଜଣେ କଳାକାର । ସାଧାରଣ ଲୋକଙ୍କ ମୁଦ୍ଦାକୁ ନେଇ ସେମାନେ ଏଭଳି କ୍ରିଏଟିଭ ଡ୍ରାମା କରିଥାନ୍ତି ।

ସୂଚନା ମୁତାବକ ଶନିବାର ସକାଳେ ଭଗବାନ ଶିବ ଓ ପାର୍ବତୀ ବେଶରେ ଦୁଇଜଣ କଳାକାର ଏକ ବୁଲେଟରେ ଆସାମର ନାଗାଁଓ ସହରରେ ବୁଲୁଥିଲେ । ହେଲେ ହଠାତ ସେମାନଙ୍କ ବୁଲେଟରେ ଇନ୍ଧନ ସମାପ୍ତ ହୋଇଯାଇଥିଲା । ଏହାପରେ ପାର୍ବତୀ ଅଭିମାନ କରି ସଡକ ଉପରେ ବସିଥିଲେ ଓ ଶିବ ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ଦେଶରେ ବଢୁଥିବା ଇନ୍ଧନର ମୂଲ୍ୟ ଉପରେ ବୁଝାଉଥିଲେ  । ଏସବୁ ଦେଖି କିଛି ହିନ୍ଦୁବାଦୀ ସଂଗଠନ ସେମାନେ ଶିବ ପାର୍ବତୀଙ୍କୁ ଅପମାନ କରୁଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି ।