ଥାନାରେ ନ୍ୟାୟ ପାଇଲେନି ଆଶାକର୍ମୀ: ଅଭିଯୋଗର ତଦନ୍ତ ନକରି ସ୍ୱାମୀକୁ ଅଭିଯୁକ୍ତ ସଜାଇଲେ ରାଜକନିକା ଥାନା ବାବୁ

85

କନକ ବ୍ୟୁରୋ: ଆଶାକର୍ମୀଙ୍କୁ ଥାନାରୁ ମିଳିଲାନି ନ୍ୟାୟ । ତଦନ୍ତ ପରିବର୍ତେ ମହିଳାଙ୍କ ସ୍ୱାମୀକୁ ଅଭିଯୁକ୍ତ ଦର୍ଶାଇଲା ପୋଲିସ । ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଗଞ୍ଜା ଗାଁର ଆଶାକର୍ମୀ କବିତା ବେହେରା । ଥାନାକୁ ନ୍ୟାୟ ପାଇଁ ଯାଇଥିଲେ ଆଶାକର୍ମୀ କବିତା ବେହେରା । ନ୍ୟାୟ ଦେବା ପରିବର୍ତେ ମହିଳାଙ୍କ ସ୍ୱାମୀ ନାଁରେ ମାମଲା ରୁଜୁ କରିଛି ପୋଲିସ । ମହିଳାଙ୍କ ଏତଲାକୁ ଗୁରୁତ୍ୱ ଦେଇନାହାନ୍ତି ଥାନା ବାବୁ । ଘଟଣାର ତଦନ୍ତ ନକରି ଆଶାକର୍ମୀଙ୍କ ସ୍ୱାମୀକୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି ରାଜକନିକା ଥାନା । ଅଭିଯୋଗ ଅନୁସାରେ ଅନେକ ଦିନ ଧରି ଜଣେ ଆଶାକର୍ମୀଙ୍କୁ ତାଙ୍କ ପଡ଼ୋଶୀ ହଇରାଣ କରୁଛି । ବର୍ଷା ପାଣିରୁ ରକ୍ଷା ପାଇବା ପାଇଁ ତିଆରି କରିିଥିବା ଜଳ ନିଷ୍କାସନ ପାଇପକୁ ଭାଙ୍ଗିଦେଉଛି ପଡ଼ୋଶୀ । ବାରମ୍ବାର ଏଭଳି ହେବାରୁ ଶେଷରେ ଘଟଣା ନେଇ ରାଜକନିକା ଥାନାକୁ ଯାଇଥିଲେ କବିତା । ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇଥିଲ । ହେଲେ ଆଶ୍ଚର୍ଯ୍ୟର କଥା ଆଶାକର୍ମୀ ଦେଇଥିବା ଏତଲା ସଂପର୍କରେ କୌଣସି ତଦନ୍ତ ନକରି ପୁଲିସ ଆଶାକର୍ମୀଙ୍କ ସ୍ୱାମୀଙ୍କୁ ଘଟଣାର ଅଭିଯୁକ୍ତ ଭାବେ ଦର୍ଶାଇ କୋର୍ଟକୁ ମାମଲା ପଠାଇଛି । ଅସହାୟ ଆଶାକର୍ମୀ ପୁଲିସ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।