ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ଅବହେଳା : ଲୁକ୍କାୟିତ ଅବସ୍ଥାରେ ଅସୁରଘାଟୀ ଜଳପ୍ରପାତ, ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିଲେ ବି ପିକନିକ୍ ଋତୁରେ ଜମୁଛି ଭିଡ଼

436

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା । ପ୍ରକୃତିର ଐଶ୍ୱର୍ଯ୍ୟତାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ବେଶ ସମୃଦ୍ଧଶାଳୀ । ସବୁଜ ବାନାନୀ ସାଙ୍ଗକୁ ଉଚ୍ଛ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ ପ୍ରକୃତିପ୍ରେମୀକୁ ସ୍ତବ୍ଧ କରିପକାଏ । ଓଡ଼ିଶାର ଅନେକ ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ସାରିଥିବା ବି ଅନେକ ସ୍ଥାନ ଏବେ ବି ଲୁକ୍କାୟିତ ଅବସ୍ଥାରେ ଅଛନ୍ତି । ଯାହାର ଉନ୍ନତୀକରଣ ଉପରେ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉନାହାନ୍ତି । ଏପରି ଏକ ସ୍ଥାନ ହେଲା ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଅସୁରଘାଟି ଜଳପ୍ରପାତ ।

ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଘଞ୍ଚ ଜଙ୍ଗଲରେ ଲୁଚି ରହିଛି ଅସୁରଘାଟି ଜଳପ୍ରପାତ । ଜଳପ୍ରପାତର ଚତୁଃପାଶ୍ୱର୍ର ସବୁଜିମା ଓ ପର୍ବତ ମାଳାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି । ଥରେ ଦେଖିଲେ ଆଖି ଲାଖିଯିବ । ଆଖି ଫେରାଇବାକୁ ମନ ବଳିବନି । ଜଳପ୍ରପାତରର ଝର ଝର ଜଳଧାର ମନକୁ ଆମୋଦିତ କରିବା ପାଇଁ ଯଥେଷ୍ଟ । ଦେଖନ୍ତୁ ପାହାଡ଼ୀ ଝରଣା, ଆଉ ଝରଣାରେ ସାଙ୍ଗସାଥୀଙ୍କ ସହ କିପରି ମଜାମସ୍ତି କରୁଛନ୍ତି ପର୍ଯ୍ୟଟକ । ତା’ ସାଙ୍ଗକୁ ବଣଭୋଜି, ଆଉ ଏହି ଆନନ୍ଦକୁ ଦ୍ୱିଗୁଣିତ କରୁଛି ସେଲଫି । ପର୍ଯ୍ୟଟକଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନଥିଲେ ମଧ୍ୟ ଅସୁରଘାଟି ଜଳପ୍ରପାତର ମନମୁଗ୍ଧକର ଦୃଶ୍ୟ ଦେଖିବାକୁ ବର୍ଷ ତମାମ ପର୍ଯ୍ୟଟକ ଭିଡ଼ ଜମୁଛି ।

ଅସୁରଘାଟୀ ନାମ ପଛରେ ରହିଛି ପୌରାଣିକ କିମ୍ବଦନ୍ତୀ । ଏହି ସ୍ଥାନରେ ଭୀମ ଷଣ୍ଢାସୁର ନାମକ ଏକ ଅସୁରକୁ ବଦ୍ଧ କରିଥିଲେ । ସେଥିପାଇଁ ଏହି ସ୍ଥାନଟିର ନାଁ ହୋଇଛି ଅସୁରଘାଟି । ଜଳପ୍ରପାତ ନିକଟସ୍ଥ ଏକ ଗୁମ୍ଫାରେ ରାମନବମୀରେ ପ୍ରଭୁ ରାମ ଓ ମା’ ସୀତା ଦେବୀ ପୂଜା ପାଆନ୍ତି । ଏଠାରେ ଶ୍ରଦ୍ଧାଳୁଙ୍କ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପିଲା ଠାରୁ ବୁଢ଼ା ଓ ଯୁବଗୋଷ୍ଠୀ ଯିଏ ବି ଏଠାକୁ ଆସନ୍ତି, ଫେରିବାକୁ ଇଚ୍ଛା ପ୍ରକାଶ କରନ୍ତିନି । ଛୋଟ ହୋଇଥିଲେ ସୁଦ୍ଧା ଏହାର ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ପରିବେଶ ବେଶ ମନୋରମ । ହେଲେ ବିଡମ୍ବନାର ବିଷୟ ଏଠାରେ ପର୍ଯ୍ୟଟକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଜଳପ୍ରପାତକୁ ଯିବା ପାଇଁ ନା ଅଛି ଭଲ ରାସ୍ତା, ନା ଅଛି ପର୍ଯ୍ୟଟକଙ୍କ ବସିବା ସ୍ଥାନ । ନା ମହିଳାଙ୍କ ପାଇଁ ଶୌଚାଳୟ । ତଥାପି ଏହି ସ୍ଥାନ ବହୁତ ଭଲ ଲାଗୁଥିବାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ତେବେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ନିମେନ୍ତ ଏହାର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମି ସଜାଡ଼ିବା ଆବଶ୍ୟକ ବୋଲି ପର୍ଯ୍ୟଟକମାନେ ମତ ଦେଇଛନ୍ତି ।