ଯେତିକି ମୃତ୍ୟୁ ସେତିକି କାହାଣୀ: ପୁଅର ସନ୍ଧାନରେ ଶବ ଅଣ୍ଡାଳୁଛି ବାପା, ସ୍ୱାମୀଙ୍କୁ ହରାଇ ବାହୁନି କାନ୍ଦୁଛି ପତ୍ନୀ

511

କନକ ବ୍ୟୁରୋ: ବାହାନାଗା ଟ୍ରେନ ଦୁର୍ଘଟଣାର ୩ ଦିନ ବିତିଗଲା । କିନ୍ତୁ ଏବେ ବି କ୍ଷତିଗ୍ରସ୍ତଙ୍କ ଶୁଖୁନି ଲୁହ । ପ୍ରତି ମୃତକଙ୍କ ଗୋଟିଏ ଗୋଟିଏ କାହାଣୀ ସାମ୍ନାକୁ ଆସୁଛି । କିଏ ନିଜ ସ୍ୱାମୀକୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି । ଶବ ଭିତରେ ରକ୍ତର ସମ୍ପର୍କକୁ ଖୋଜୁଥିବା, ଅସହାୟତାର ଏହି ଚିତ୍ର ଯିଏ ଦେଖିଛି ତା ଆଖିରୁ ଲୁହ ଝରିଛି । ସେଦିନ ପୁଅକୁ ଖୋଜୁଥିବା ବାପାରେ ଧରେଇ ଦିଆଯାଇଥିଲା ମୃତଦେହ । ବୃଦ୍ଧ ବୟସରେ ଆଶାବାଡ଼ି ଥିବା ପୁଅର କୋକେଇ ଉଠାଇଥିବା ବାପା କାନ୍ଧରେ ଏବେ ଦେଢ଼ମାସର ନାତୁଣୀର ଦାୟିତ୍ୱ ।

କୁନି ଝିଅର ଚେହେରା ଦେଖିବା ପାଇଁ ହାୱାଡ଼ାରୁ ଧାଇଁ ଆସୁଥିଲେ ବାପା ଗୋବିନ୍ଦ ସାହୁ । ଦେଢ଼ ମାସର ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଘରକୁ ଆସୁଥିଲେ । ହେଲେ, ରାସ୍ତାରେ ଘଟିଗଲା ଅଘଟଣ । ଆଉ ଏହି କୁନି ପିଲା ମୁଣ୍ଡରୁ ଉଠିଗଲା ଆର୍ଶୀବାଦର ହାତ । ଦୁନିଆ କ’ଣ ଜାଣିବା ଆଗରୁ ପାଲଟିଗଲା ବାପା ଛେଉଁଣ୍ଡ ।

ଅଳ୍ପ ବୟସରେ ବିଧବା ପାଲଟି ଯାଇଛନ୍ତି, ଗୋବିନ୍ଦଙ୍କ ପତ୍ନୀ । କୋଳରେ କଅଁଳା ଶିଶୁ । କେମିତି ଜୀବନ ଧରିବେ, କେମିତି କୁନି ଝିଅକୁ ମଣିଷ କରିବେ ଭାବିଲା ବେଳକୁ ପାଟିରୁ କଥା ବାହାରୁନି ।

ଯେତିକି ମୃତ୍ୟୁ, ସେତିକି କାହାଣୀ । ଆଉ ପ୍ରତି କାହାଣୀରେ କୋହ ଓ ଯନ୍ତ୍ରଣା । ଶିବ ଶଙ୍କର ସାହୁଙ୍କ ଶବ ଯେତେବେଳେ ଯାଜପୁର ଜିଲ୍ଲାର ନିଜର ପୌତୃକ ଗାଁରେ ପହଂଚିଥିଲା । କେହି ବିଶ୍ୱାସ କରିପାରିନଥିଲେ ଯେ, ଶିବ ଆଉ ନାହିଁ । ମାତ୍ର ୧୦ ମିନିଟ୍ ପରେ ଠିକଣାସ୍ଥଳରେ ପହଂଚିଥାନ୍ତେ । ଘରକୁ ପହଂଚିବା ପୂର୍ବରୁ ଝିଅ ସହ, ପତ୍ନୀଙ୍କ ସହ ଫୋନରେ କଥା ହୋଇଥିଲେ । ହେଲେ, ସେ ଘରକୁ ପହଂଚିବା ତ’ ଦୂରର କଥା, ଜୀବନ୍ତ ବି ଫେରିପାରିଲେ ନାହିଁ ।

ଲୁଗା ବ୍ୟବସାୟୀ ଥିବା ଶିବ ଶଙ୍କର କଲିକତା ଯାଇଥିଲେ, ଲୁଗା ଆଣିଲେ ବ୍ୟବସାୟ କରିବେ । ଦୁର୍ଭାଗ୍ୟ ଦେଖନ୍ତୁ ଯେତେଥର ବି ସେ କଲିକତା ଯାଉଥିଲେ, ସବୁ ବେଳେ ଜନ ସତାବ୍ଦୀ ଏକ୍ସପ୍ରେସରେ ଯାଉଥିଲେ । ହେଲେ, ଠିକ୍ ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସରେ ଘରକୁ ଫେରିବାକୁ ନିଷ୍ପତି ନେଇଥିଲେ । ହେଲେ ଘରକୁ ପହଂଚିବା ପୂର୍ବରୁ ଯେଉଁ ସମ୍ବାଦ ଆସିଥିଲା, ତାହା ପରିବାରକୁ ଦୋହଲାଇ ଦେଇଥିଲା । କ୍ଷତିପୁରଣ ଆକାରରେ ସିନା ଧରାଇ ଦିଆଗଲା କିଛି ବିଡ଼ା ଟଙ୍କା ଓ ଚେକ୍୍, ହେଲେ ମୁରବୀ ବହିନୀ ପରିବାର ଦୁଃଖ କ’ଣ କେଇ ଲକ୍ଷ ଟଙ୍କା ଦୂର କରିପାରିବ?