ମାଟ୍ରିକ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ କ୍ୟାମେରା: ପରୀକ୍ଷାରେ ଅବ୍ୟବସ୍ଥା ଓ କପି ରୋକିବା ପାଇଁ ଅଭିନବ ପଦକ୍ଷେପ

163

କନକ ବ୍ୟୁରୋ: ଫେବୃଆରି ୨୦ରୁ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ କ୍ୟାମେରା । ଅବ୍ୟବସ୍ଥା ଓ କପି ରୋକିବ ଏଆଇ କ୍ୟାମେରା ଲାଗିଥିବା କଂଟ୍ରୋଲ ରୁମ । ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ପାଇଁ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି କଂଟ୍ରୋଲ ରୁମ ଖୋଲାଯାଇଛି । ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି । ୨୦୪୬ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଏହି ସବୁ କେନ୍ଦ୍ରରେ ପ୍ରଥମ ଥର ଲାଗି ଏଆଇ କ୍ୟାମେରା ଖଞ୍ଜାଯାଇଛି । ଏହାର କମାଣ୍ଡ କଂଟ୍ରୋଲ ରୁମ୍ ମୁଖ୍ୟ କାଯ୍ୟାଳୟରେ ରହିଛି । ବୋର୍ଡ କର୍ତୃପକ୍ଷଙ୍କ ତତ୍ୱାବଧାନରେ ୨୦ ଜଣ ଅବଜରଭର ଏହାର ଦାୟିତ୍ୱରେ ଅଛନ୍ତି । ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ରର ଗେଟ ଖୋଲାଯିବ । ଏହାପରେ ଛାତ୍ରଛାତ୍ରୀଙ୍କୁ ଯାଂଚ କରି ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ାଯିବ । ସାଢ଼େ ୮ଟାରେ ପରୀକ୍ଷାର୍ଥୀଙ୍କୁ ଓଏମଆର ସିଟ୍ ପ୍ରଦାନ କରାଯିବ । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହଲ୍କୁ ମୋବାଇଲ ନେବା ମନା । କପି ରୋକିବା ପାଇଁ ହୋଇଛି ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ।