ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିର ଟାର୍ଗେଟ, ଜବାବ ରଖିଲେ ବିଜେଡି ନେତା ଭୃଗୁ ବକ୍ସିପାତ୍ର

174

କନକ ବ୍ୟୁରୋ : ରାଜ୍ୟରେ ୪ଟି ପାର୍ଯ୍ୟାୟର ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ସୋମବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ହେଲେ ରାଜ୍ୟର ୩ ପ୍ରମୁଖ ଦଳ ନିର୍ବାଚନରେ ବେକାର. ଭାତ, ଭୋକ ପ୍ରସଙ୍ଗଠୁ ଦୂରେଇ ରହି ପ୍ରହସନ ଚଳାଇଛନ୍ତି । ବିଜେପି ପାଖରେ ବିଜେଡି ଓ କଂଗ୍ରେସକୁ ଘେରିବାକୁ ଅନେକ ପ୍ରସଙ୍ଗ ଥିଲେ ବି କାଳେ ପ୍ରଶ୍ନ ନିଜ ଆଡକୁ ଓଲଟି ପଡିବ ସେହି ଭୟରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ ଶାହା ବା ଅନ୍ୟ ବିଜେପି ନେତା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବାରମ୍ବାର ବିଜେଡିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହା ଉପରେ ଜବାବ ରଖିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

ଭୃଗୁ ବକ୍ସିପାତ୍ର କହିଛନ୍ତି କି, ଓଡିଶାକୁ କେନ୍ଦ୍ରରୁ ପର୍ଯ୍ୟଟକ ଭଳି ନେତାଙ୍କ ସୁଅ ଛୁଟିଥାଏ । ରାଜ୍ୟରେ ପୁଣି ବିଜେଡି ବହୁମତ ପାଇ ସରକାର ଗଠନ କରିବ । ଏହାକୁ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନଥିବାରୁ କେନ୍ଦ୍ରୀୟ ନେତାମାନେ ଓଡିଶା ଆସି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କେନ୍ଦ୍ର ବିଜେପି ନେତାମାନଙ୍କର ଓଡିଶା ବିଷୟରେ କୌଣସି ଜ୍ଞାନ ନାହିଁ । ତେଣୁ ଓଡିଶା ବିଜେପି ନେତା ଯାହା ଲେଖିକି ଦେଉଛନ୍ତି ତାହା ସେମାନେ ସଭାରେ କହୁଛନ୍ତି  ବୋଲି ଭୃଗୁ କହିଛନ୍ତି ।

ସେହିଭଳି ବିଜେପିକୁ ଟାର୍ଗେଟ୍ କରି ଭୃଗୁ କହିଛନ୍ତି କି, ଓଡିଶା ବିକାଶରରେ ବିଜେପିର କୌଣସି ଅବଦାନ ନାହିଁ । ହେଲେ ରାଜ୍ୟ ସରକାରଙ୍କ ବିକାଶ କାମରେ ବିଜେପି ନେତାମାନେ ବାରମ୍ବାର ବାଧା ସୃଷ୍ଟି କରୁଛନ୍ତି । ନିଜେ ରାଜ୍ୟର ବିକାଶ ପାଇଁ କିଛି କରିବେ ନାହିଁ କି ଅନ୍ୟମାନଙ୍କୁ କରିବାର ସୁଯୋଗ ଦେବେ ନାହିଁ ବୋଲି ବିଜେପିକୁ କଟାକ୍ଷ କରିଛନ୍ତି ଭୃଗୁ ।

ବିଜେପି ରତ୍ନଭଣ୍ଡାର ଚାବି ନେଇ ବିଜେଡିକୁ ଟାର୍ଗେଟ୍ କରୁଥିବା ବେଳେ ଏହାର ଜବାବରେ ଭୃଗୁ କହିଛନ୍ତି କି, ୫୦୦ ବର୍ଷ ଧରି କୌଣସି ଲୋକ ଯେଉଁ କାମକୁ ସାହାସ କରି କରିପାରି ନଥିଲେ ତାହା ବିଜେଡି ସରକାର କରିଛି । ହେଲେ ଏହି ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ଓଡିଶାର ବିଜେପି ନେତାମାନେ ଦିଲ୍ଲୀ ଯାଇ ଷଡଯନ୍ତ୍ର କରିଥିଲେ । ସବୁଠାରୁ ବଡ କଥା ଭୃଗୁ କହିଛନ୍ତି କି ଚଳିତ ର୍ଥଯାତ୍ରାରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବ । ଯାହା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି । ଏହାସହ ଜଗନ୍ନାଥଙ୍କୁ ନେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କର ପରାଜିତ ହୋଇଛନ୍ତି ଓ ଆଗକୁ ମଧ୍ୟ ପରାଜୟର ସାମ୍ନା କରିବେ ବୋଲି ସେ କହିଛନ୍ତି । ଏହାସହ ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ବିଜେପି ନେତାମାନେ ମନ୍ତ୍ରୀ ଥିଲେ । ସେମାନେ ଦାବି କରି ରତ୍ନଭଣ୍ଡାର ଖୋଲାଇ ଦେଇ ନଥିଲେ ।