ବିଦ୍ୟୁତ ବିଲ ପୈଠ ପରେ ବି ଆସୁଛି ବକେୟା ନୋଟିସ୍ । ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ବିଦ୍ୟୁତ୍ ଉପଭୋକ୍ତା ।

72

କନକ ବ୍ୟୁରୋ: ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ସୌଭାଗ୍ୟ ଯୋଜନା ମାଧ୍ୟମର ମାଗଣା ବିଦ୍ୟୁତ ଯୋଗାଇ ଦେଉଛନ୍ତି । କିନ୍ତୁ ବିଦ୍ୟୁତ ସଂଯୋଗ ପରଠାରୁ ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଛନ୍ତି କମ୍ପାନୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ନୂଆଗାଁ ବ୍ରାହ୍ମଣ ସାହିର ବିଦ୍ୟୁତ ଉପଭୋକ୍ତାମାନେ ଏଭଳି ଅଭିଯୋଗ ଆଣିଛନ୍ତି । ଏପରିକି ମାସିକ ବିଦ୍ୟୁତ ବିଲ ପୈଠ କରୁଥିଲେ ବି ବକେୟା ଥିବା ନେଇ ଟାଟା ପାୱାରର ନୋଟିସ୍ ଆସୁଛି । ତେଣୁ ତୁରନ୍ତ ବିଦ୍ୟୁତ ବିଲ ସଂଶୋଧନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ସେପଟେ ବିଦ୍ୟୁତ ବିଲ ଆଦାୟ କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ଟାଟା ପାୱାର କର୍ମଚାରୀ । କେନ୍ଦ୍ରାପଡ଼ା ଆଳି ବଡାମ୍ବିଳା ପଞ୍ଚାୟତ ମୁର୍ଗନୟନୀ ଗାଁକୁ ଟାଟା ପାୱାରର କର୍ମଚାରୀ ବିଲ ଆଦାୟ କରିବାକୁ ଯାଇ ଗାଁର ଜଣେ ଲୋକଙ୍କର ଆକ୍ରୋଶର ଶିକାର ହୋଇଥିଲେ । ପରିବାର ଲୋକେ ସମସ୍ତ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାରେ ୩ଜଣ ଟାଟା କର୍ମଚାରୀ ଆହତ ହୋଇ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।