ମଞ୍ଚରେ ଏଆର ରେହମାନଙ୍କୁ ଗୀତ ଗାଇବାରୁ ଅଟକାଇଲା ପୋଲିସ । ଜାଣନ୍ତୁ କଣ ଥିଲା ପୂରା ଘଟଣା

204

ଓସ୍କାର ବିଜେତା ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ରବିବାର ଦିନ ମହାରାଷ୍ଟ୍ରର ପୁଣେରେ ରେହମାନ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟ ପରିବେଷଣ କରୁଥିଲେ, କିନ୍ତୁ ପୁଲିସ ଆସି ଏହି ମ୍ୟୁଜିକ୍ କନସର୍ଟକୁ ବନ୍ଦ କରିଦେଇଥିଲା । କନସର୍ଟ ସମୟ ସୀମା ଶେଷ ହେବା ପରେ ପୁଲିସ କଣ୍ଠଶିଳ୍ପୀଙ୍କୁ ମଞ୍ଚ ଉପରକୁ ଚଢ଼ି ଗୀତ ଗାଇବାରୁ ଅଟକାଇଥିଲା । ରାତି ୧୦ଟା ପରେ ଏଆର୍ ରହମାନଙ୍କ ଏହି ମ୍ୟୁଜିକ୍ କନସର୍ଟ ପରିବେଷଣ ପାଇଁ ପ୍ରଶାସନଠାରୁ କୌଣସି ଅନୁମତି ନିଆଯାଇନଥିବା ସୂଚନା ମିଳିଛି । ଯେଉଁଥିପାଇଁ ପୁଲିସ ଅଧିକାରୀ ଏହାକୁ ବନ୍ଦ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଏପ୍ରିଲ ୩୦ ତାରିଖରେ ଏଆର୍ ରେହମାନ ପୁଣେର ରାଜା ବାହାଦୁର ମିଲ୍ ଅଞ୍ଚଳରେ ଏକ ଲାଇଭ୍ ମ୍ୟୁଜିକ୍ କନସର୍ଟରେ ନୃତ୍ୟ ପରିବେଷଣ କରିଥିଲେ। ଏଆର ରେହମାନଙ୍କ ଏହି ସଙ୍ଗୀତ ସମାରୋହରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ସେ ନିଜ ଯାଦୁକରୀ କଣ୍ଠରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। କିନ୍ତୁ ରାତି ୧୦ଟା ଟପିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଇଭ୍ ମ୍ୟୁଜିକ୍ କନସର୍ଟକୁ ଅଧାରୁ ଅଟକାଇ ଦେଇଥିଲା ।

ଜଣେ ପୁଲିସ ଅଧିକାରୀ ମଞ୍ଚ ଉପରକୁ ଚଢ଼ି ଏଆର ରେହମାନଙ୍କୁ କନସର୍ଟ ବନ୍ଦ କରିବାକୁ ସଙ୍କେତ ଦେଇଥିଲେ। ପରେ କାର୍ଯ୍ୟକ୍ରମ ବନ୍ଦ ହୋଇଯିବାରୁ ଏଆର ରେହମାନ ମଞ୍ଚ ପଛକୁ ପଳାଇଯାଇଥିଲେ ।