ଫିଲ୍ମ ‘କେରଳ ଷ୍ଟୋରୀ’ ଉପରେ ବ୍ୟାନ୍ ଲଗାଇବାକୁ ଦାବି । ଫିଲ୍ମରେ ରହିଛି ଏକ ହଜାର ଝିଅଙ୍କ ଧର୍ମ ପରିବର୍ତ୍ତନର କାହାଣୀ ।

1,385

କନକ ବ୍ୟୁରୋ: ଫିଲ୍ମ ‘କେରଳ ଷ୍ଟୋରୀ’କୁ ନେଇ ଏବେ ସବୁଠି ଚର୍ଚ୍ଚା । ବିବାଦ ଭିତରେ ଫସିଥିବା ଏହି ଫିଲ୍ମକୁ ଏବେ ବ୍ୟାନ୍ କରିବାକୁ ଦାବି ହେଉଥିବାବେଳେ, କେରଳ ସରକାର ମଧ୍ୟ ଏହି ଫିଲ୍ମକୁ ବ୍ୟାନ୍ କରିବା ସପକ୍ଷରେ ବାହାରିଛନ୍ତି । ଖାଲି ସେତିକି ନୁହେଁ, କେରଳର ଅନ୍ୟ ରାଜନୈତିକ ଦଳ ମାନେ ମଧ୍ୟ ଏହି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବାକୁ ଆଗ୍ରହ ଦେଖାଇଛନ୍ତି । ଯାହା ଏହି ଫିଲ୍ମକୁ ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।

ଏହା ପୂର୍ବରୁ କେରଳର ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ଏହି ଫିଲ୍ମକୁ ନେଇ ଆଲୋଚନା କରିବା ଦେଖିବାକୁ ମିଳିଥିଲା । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଫିଲ୍ମକୁ ନେଇ କହିଥିଲେ ଯେ, ଏହି ଫିଲ୍ମରେ ସଂଘ ପରିବାରର ଏଜେଣ୍ଡା ଦେଖିବାକୁ ମିଳୁଛି । ଅନ୍ୟପଟେ ଶଶୀ ଥରୁର୍ ଏହି ଫିଲ୍ମର ପୋଷ୍ଟର ସେୟାର କରି କହିଥିଲେ ଯେ, ଏହି ଫିଲ୍ମର କାହାଣୀ ହେଉଛି କେରଳର କାହାଣୀ ।

ମିଡିଆ ରିପୋର୍ଟସ ମୁତାବକ, ଏଫଇୟୁଓକେର କହିବା କଥା ‘କେରଳ ଷ୍ଟୋରୀ’ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇବାର କୌଣସି ଫାଇଦା ନାହିଁ । ଏହି ଫିଲ୍ମ ଓଟିଟିରେ ମଧ୍ୟ ରିଲିଜ୍ ହେଲେ ଲୋକ ଏହାକୁ ଦେଖିବେ । ତେବେ ଫିଲ୍ମ ଉପରେ ବ୍ୟାନ୍ ଲଗାଇବା ବିଲକୁଲ୍ ଭଲ କଥା ନୁହେଁ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ମେ ୪ ତାରିଖରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘କେରଳ ଷ୍ଟୋରୀ’ । ଏହି ଫିଲ୍ମରେ କେରଳର ହଜାରେ ଝିଅଙ୍କ କାହାଣୀ ଦେଖିବାକୁ ମିଳୁଛି । ଯେଉଁମାନେ କି ହଠାତ୍ ଗାଏବ ହେଇଯାଉଛନ୍ତି । ତେବେ ଏହାପରେ ଏହି ଝିଅମାନଙ୍କର ବ୍ରେନ୍ ୱାଶ୍ କରାଯିବା ସହିତ ସେମାନଙ୍କର ଧର୍ମ ପରିବର୍ତ୍ତନ କରିଦିଆଯାଉଛି । ଖାଲି ସେତିକି ନୁହେଁ, ଏହି ଝିଅମାନଙ୍କୁ ଆଇଏସ୍ ଭଳି ଆତଙ୍କୀ ସଙ୍ଗଠନ ସହ ମଧ୍ୟ ସାମିଲ କରାଯାଉଛି । ଏହାପରେ ଏହି ଝିଅମାନେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କୀ କାର୍ଯ୍ୟକଳାପ କରିବା ସହିତ ବିଭିନ୍ନ ଦେଶରେ ମୋର୍ଚ୍ଚା ଖୋଲୁଛନ୍ତି ।

ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ଏହି ଫିଲ୍ମରେ ସଂଘ ପରିବାରର ମିଛ ଏଜେଣ୍ଡା ଦେଖାଯାଇଛି । ଏହି ଫିଲ୍ମ ଜରିଆରେ ସଂଘର ପ୍ରୋପାଗଣ୍ଡା ଖେଳାଯାଉଛି । ଯେଉଁଥିପାଇଁ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି ହେଉଛି ।