ରାଉରକେଲାରେ ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ

76

କନକ ବ୍ୟୁରୋ: ରାଉରକେଲାରେ ହଇଜାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ପାୱାର ହାଉସ ରୋଡର ପଙ୍କଜ ମଣ୍ଡଳ । ତାଙ୍କୁ ୪୨ ବର୍ଷ । ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଂଚିଛି । କିଛି ଦିନ ହେଲା ରାଉରକେଲାରେ ଡରାଉଛି ଡାଇରିଆ । ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି ନାହିଁ । ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଭିସି ମାଧ୍ୟମରେ ସମୀକ୍ଷା ବୈଠକ ହୋଇଛି । ଝାଡାବାନ୍ତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଏଥିରେ କୁହାଯାଇଛି । ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ପାଇଁ ବିଶେଷଜ୍ଞମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଜଳ ଓ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି । ଏହାର ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିପାରେ ।