କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ : ୫ ମାସରେ ଗଲା ଅଷ୍ଟମ ଚିତାର ଜୀବନ; ମୃତ୍ୟୁର କାରଣ ଅସ୍ପଷ୍ଟ

116

କନକ ବ୍ୟୁରୋ : ଦେଶରେ ଚିତା ପ୍ରକଳ୍ପକୁ ପୁଣି ଏକ ଝଟକା ଲାଗିଛି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ତେଜସର ମୃତ୍ୟୁ ପରେ ପୁଣି ସୂରଜର ମୃତ୍ୟୁ ହୋଇଛି । ଏହାରି ଭିତରେ ୫ ମାସ ମଧ୍ୟରେ ୮ଟି ଚିତାଙ୍କର ମୃତ୍ୟୁ ହେଲାଣି । ତେବେ ପାଟ୍ରୋଲିଂ ଟିମ୍ ଚିତା ସୂରଜକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତ ମଙ୍ଗଳବାର ଦିନ ତେଜସର ମୃତ୍ୟୁ ହୋଇଥିଲା । ଆଜି ପୁଣି ଏକ ଚିତାର ମୃତ୍ୟୁ ହେବା ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁସାରେ ମାର୍ଚ୍ଚ ୨୭ରେ ପ୍ରଥମେ ଏକ ମାଇ ଚିତା ଶାଶାର ମୃତ୍ୟୁ ହୋଇଥିଲା । ଏପ୍ରିଲ ମାସରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏକ ଅଣ୍ଡିରା ଚିତା ଉଦୟର ମୃତ୍ୟୁ ହେଲା । ମେ’ ମାସରେ ପୁଣି ଏକ ମାଇ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ସିୟାୟା ୪ଟି ଶାବକଙ୍କୁ ଜନ୍ମ ଦେଇଥିଲା । ଏହି ଶାବକଙ୍କ ମଧ୍ୟରୁ ୩ଟି ଶାବକଙ୍କର ମେ’ରେ ମୃତ୍ୟୁ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ନାମିବ୍ୟାରୁ କୁନୋକୁ ୮ଟି ଚିତା ଆସିଥିଲେ ।

ଏହା ପରେ ଦକ୍ଷିଣ ଆଫ୍ରିକାରୁ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଚିତାଙ୍କୁ ଅଣାଯାଇଥିଲା । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନାମିବ୍ୟାରୁ ଆସିଥିଲା ୮ଟି ଚିତା । ଏକ ସ୍ୱତନ୍ତ୍ର ବିମାନରେ ୮ଟି ଜନ୍ତାରେ ଚିତାଙ୍କୁ ଅଣାଯାଇଥିଲା । ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚିତା ମୃତ୍ୟୁ ଚିନ୍ତାର କାରଣ ପାଲଟିଛି ।