ମଣିଷ ପ୍ରେମରେ ବନ୍ଧା ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସୁଛି ବାରହା, ଦେଖନ୍ତୁ ପଶୁ-ମଣିଷର ଅନାବିଳ ସ୍ନେହର କାହାଣୀ ।

415

କନକ ବ୍ୟୁରୋ : ପଶୁ-ମଣିଷ ମଧ୍ୟରେ ଅନାବିଳ ସ୍ନେହ । ପାଳିତ ମାଆର ମମତାରେ ପାଗଳ ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସିଲା । ୯ ଦିନ ଧରି ଜଙ୍ଗଲରେ ରହିବା ପରେ ପାଳିତା ମାଆର କୋଳକୁ ଫେରି ଆସିଛି ଜଙ୍ଗଲୀ ବାରହା । କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ବିମଳା ରେଂଜ ଅଂଚଳରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ।

ମଣିଷ ହେଉ ବା ପଶୁ, ସମସ୍ତେ ପ୍ରେମରେ ବନ୍ଧା । ଆଉ ମାଆ-ଛୁଆର ସମ୍ପର୍କ ତ ସବୁଠୁ ନିଆରା । ମାଆର ମମତା ଅମାପ, ଅତୁଳନୀୟ । ମା’ର ନିର୍ଭେଜାଲ ସ୍ନେହ ଆଦର ପାଖରେ ବନ୍ଧା ପଡିଛି ଜଙ୍ଗଲୀ ଜନ୍ତୁ ବାରହା ‘ଢୁର’ । ପାଳିତା ମାଆର ଡାକ ଶୁଣି ଜଙ୍ଗଲ ଭିତରୁ ଧାଇଁ ଆସୁଛି, ଭାତ ଖାଇ ପୁଣି ଜଙ୍ଗଲକୁ ଚାଲି ଯାଉଛି ଜଙ୍ଗଲୀ ଜନ୍ତୁ । ୧୦ ମାସ ତଳେ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ ବେଳେ ବାରହା ଛୁଆଟିଏ ପାଇଥିଲେ ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗାଁର କୁନ୍ତଳା କୁମାରୀ ପେଣ୍ଠେଇ । ଜଙ୍ଗଲରୁ ଅସହାୟ ଅବସ୍ଥାରେ ବାରହାକୁ ଉଦ୍ଧାର କରି ଘରକୁ ଆଣିଥିଲେ । ନିଜ ପିଲାଙ୍କ ଭଳି ସ୍ନେହ ମମତା ଦେଇ ପାଳିବା ସହ ସ୍ନେହରେ ‘ଢୁର୍’ ବୋଲି ଡାକୁଥିଲେ କୁନ୍ତଳା ଓ ତାଙ୍କ ପରିବାର ।

ଜଙ୍ଗଲୀ ଜନ୍ତୁ ମଣିଷ ପ୍ରେମରେ ପଡି ଯାଇଥିଲା । କ୍ଷୀର ଭାତ ଖାଇବା ସହ ଗୀତ ଗାଇ ‘ଢୁର’କୁ ଶୁଆଇ ଦେଉଥିଲେ କୁନ୍ତଳା । ଗୃହପାଳିତ ପଶୁଙ୍କ ସହ ବେଶ ଖୁସିରେ ଖେଳକୁଦ କରୁଥିଲା । କିନ୍ତୁ ଆଇନ୍ ଅନୁସାରେ ଜଙ୍ଗଲୀ ଜନ୍ତୁ ଘରେ ପାଳିବା ଅପରାଧ । ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ବାରହାକୁ କୁନ୍ତଳାଙ୍କ ଘରୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଗତ ୯ ତାରିଖ ରାତିରୁ ‘ଢୁର’କୁ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ବନ କର୍ମଚାରୀ । ହେଲେ ଏବେ ବି ପାଳିତା ମାଆକୁ ଭୁଲି ପାରିନାହିଁ ‘ଢୁର୍’ । କି ‘ଢୁର’କୁ ଭୁଲି ପାରିନାହାନ୍ତି କୁନ୍ତଳା ।

ସେପଟେ ତେଲକୋଇ ରେଂଜର ପ୍ରମୋଦ କୁମାର ସେଠୀ କହିଛନ୍ତି ବାରହାକୁ ଜଙ୍ଗଲରେ ଛଡାଯାଇଛି । ସେ ସୁରକ୍ଷିତ ରହିଛି । ତା’ର ଗତି ବିଧି ଉପରେ ନଜର ରଖାଯାଇଛି । ଜଙ୍ଗଲ ଭିତରେ ଟିଫିନରେ ଭାତ ଧରି ବୁଲୁଛନ୍ତି କୁନ୍ତଳା । ବାରହାର ନାଁ ଧରି ଡାକୁଛନ୍ତି, ଆଉ ତାଙ୍କ ମନ କହୁଛି, ତାଙ୍କ ‘ଢୁର’ ଭୋକରେ ଥିବ, ତାଙ୍କ ଡାକ ଶୁଣି ସେ ଆସିବ, ଆଉ ତାକୁ ଘରକୁ ନେଇ ପୁଣି ପାଳିବେ । ହେଲେ ଆଇନ୍ କଟକଣା ଯୋଗୁଁ ଏହା ସମ୍ଭବ ନୁହେଁ ।