ମଣ୍ଡି ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଚଳ ବିଧାନସଭା । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ସେପଟେ ଧାନ କିଣା ଅବ୍ୟବସ୍ଥା ଓ ଗୃହ ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ।

136

କନକ ବ୍ୟୁରୋ : ବିଧାନସଭାରେ ଅଚଳାବସ୍ଥା ଜାରି । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଗୃହ ବିଲକୁଲ୍ ଚାଲି ପାରୁନାହିଁ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଆଉ ଏହାରି ଭିତରେ ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଧାନ କିଣା ଅବ୍ୟବସ୍ଥା ଓ ଗୃହର ସୁପରିଚାଳନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଧାୟକ କ୍ଷମା ମାଗିବା ବଡ କଥା ନୁହେଁ, ଗୃହ କେମିତି ଚାଲିବ ସେ କଥା ଚିନ୍ତା କରାଯାଉ । ଏନେଇ ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନରସିଂହ ।

୧୫ ତାରିଖ ପରେ ଆଜି ଏନେଇ ନରସିଂହ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏ ନେଇ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରନ୍ତୁ । ବିଜେଡି କହିଛି, ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି ।