୨୧ ବର୍ଷ ହେଲା ନିର୍ମାଣ ହୋଇ ପାରୁନି ଅନୁଗୁଳ ହିଡିସିଙ୍ଗ ମଧ୍ୟମ ଜଳ ସେଚନ ପ୍ରକଳ୍ପ । ୨୦୦୦ ମସିହାରୁ ସରିଛି ସର୍ଭେ । ଆଜି ଯାଏଁ ଛିଡୁନି ଜମି ଅଧିଗ୍ରହଣ ଅଡୁଆ ।

102

କନକ ବ୍ୟୁରୋ: ଚାଷ ଜମିରେ ପାଣି ପହଞ୍ଚାଇବା ପାଇଁ ଅନୁଗୁଳ ଜିଲ୍ଲାର ବନ୍ତଳା କରଡାସିଙ୍ଗରେ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ କରାଯାଉଛି । ଚାଷୀଙ୍କ ୩୦ ବର୍ଷର ଦାବି, ହିଡିସିଙ୍ଗ କୃଷକ ମହାସଂଘର ଆନ୍ଦୋଳନ ପରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି, ହେଲେ ଏହାରି ଭିତରେ ୨୧ ବର୍ଷ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ କିନ୍ତୁ ସଂପୂର୍ଣ୍ଣ ହୋଇ ପାରୁନି । ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଜଙ୍ଗଲ ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ କାମ ଧିମେଇ ଯାଇଛି । ହିଡିସିଙ୍ଗ ପ୍ରକଳ୍ପ ପାଇଁ ୧ ହଜାର ଏକର ଜମି ଆବଶ୍ୟକ । ୨୦୧୮ରେ ଅନୁଗୁଳ ତହସିଲ ପକ୍ଷରୁ ୭୦୭ ଏକର ଜମି ଚିହ୍ନଟ କରାଯାଇଥିବା ବେଳେ ଆଉ ୩ଶହ ଏକର ଜଙ୍ଗଲ ଜମି ଅଧିଗ୍ରହଣରେ ସମସ୍ୟା ହେବାରୁ ପ୍ରକଳ୍ପ କାମରେ ବିଳମ୍ବ ହେଉଛି ।

ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ କଟକ ଯୋବ୍ରା ଡିଭିଜନ ସର୍ଭେ କରି ରିପୋର୍ଟ ଦେଇଥିଲା । ୨୦୦୮ରେ ପ୍ରକଳ୍ପ ମଞ୍ଜୁରୀ ପାଇଁ କେନ୍ଦ୍ର ଜଳ ଆୟୋଗକୁ ଚିଠି ଲେଖା ଯାଇଥିଲା । ୨୦୧୦, ମାର୍ଚ୍ଚ ମାସରେ ସର୍ଭେ କାମ ଶେଷ ହୋଇଥିଲା । ସେତେବେଳେ ପ୍ରକଳ୍ପର ମୂଲ୍ୟ ୧୩୦ କୋଟି ଥିଲା ।

ଏହି ପ୍ରକଳ୍ପ ପାଇଁ ୨ଟି ଗାଁର ୧୬୧ଟି ପରିବାର ବିସ୍ଥାପିତ ହେବେ । ଏତେପରେ ବି ପ୍ରକଳ୍ପ ହେବା ଚାଷୀ ଉଭୟ ଖରିଫ ଓ ରବି ଚାଷ କରିପାରିବେ । ଏହାଦ୍ୱାରା ମରୁଡି ପ୍ରପୀଡିତ ଅଞ୍ଚଳର ବେକାରୀ ସମସ୍ୟା ଦୂର ହେବ । ପ୍ରାୟ ୧୨ ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫ଟି ପଞ୍ଚାୟତ ପ୍ରତ୍ୟେକ୍ଷ ଓ ୧୦ଟି ପଞ୍ଚାୟତ ପରୋକ୍ଷ ଭାବେ ଜଳସେଚିତ ହେବ । ପ୍ରାୟ ୧ ଲକ୍ଷ ୨୫ ହଜାର ଲୋକ ଏହାଦ୍ୱାରା ଉପକୃତ ହେବେ । ତେଣୁ ପ୍ରକଳ୍ପ ପାଇଁ ଉପୁଜିଥିବା ସମସ୍ୟା ସମାଧାନ କରି ନିର୍ମାଣ କାମ ସାରିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ।