ବିପଦ ସଙ୍କୁଳ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ: ଅଘଟଣ ଆଶଙ୍କାରେ ଶ୍ରେଣୀଗୃହ ବସିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ

91

କନକ ବ୍ୟୁରୋ: ଫାଇଭ-ଟି ଯୋଜନାରେ ସ୍ମାର୍ଟ ସ୍କୁଲରେ ପରିଣତ ହେଉଛି, ସରକାରୀ ବିଦ୍ୟାଳୟ । ଉନ୍ନତମାନର ଶୈକ୍ଷିକ ବାତାବରଣ ପାଇଁ ଉଦ୍ୟମ ହେଉଛି । ଆନନ୍ଦପୁର ବ୍ଲକ କଂଟିପାଳ ପଂଚାୟତର ରାଇପାଳ ସରକାରୀ ବିଦ୍ୟାଳୟର ଚିତ୍ରକୁ ଦେଖିଲେ ଅନେକ ପ୍ରଶ୍ନ ଉଠୁଛି । ଏହା କେଉଁ ମାନର ଶୈକ୍ଷିକ ବାତାବରଣ? ଏଠି ସବୁଦିନ ଖୋଲା ଆକାଶ ତଳେ ଚାଲିଛି ପାଠପଢା । ପଡ଼ିଆରେ ବସି ପଢୁଛନ୍ତି ଛାତ୍ରଛାତ୍ରୀ । ଜରିପାଲରେ ପିଲାଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । କାରଣ ବିପଦଶଙ୍କୁଳ ଅବସ୍ଥାରେ ଅଛି ବିଦ୍ୟାଳୟର ଶ୍ରେଣୀଗୃହ ।

ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟର ଶ୍ରେଣୀ ଗୃହ ଛାତ ଫାଟି ଲୁହା ରଡ଼ ଦେଖାଯାଉଛି । ଅଭିଯୋଗ ଅନୁସାରେ, ୧୫ ଦିନ ତଳେ ଛାତରୁ ସିମେଂଟ ଖଣ୍ଡ ଖସି ଜଣେ ଛାତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିଲା । ଶ୍ରେଣୀଗୃହରେ ଅଘଟଣ ଭୟରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡୁନଥିଲେ ଅଭିଭାବକ । ପରେ ଶିକ୍ଷକ-ଶିକ୍ଷୟତ୍ରୀ ବୁଝାସୁଝା କରିବାରୁ ପିଲାଏ ସ୍କୁଲ ଆସୁଛନ୍ତି ଆଉ ଖୋଲା ପଡ଼ିଆରେ ବସି ପଢୁଛନ୍ତି । ଏନେଇ ସ୍କୁଲ ପକ୍ଷରୁ ଆନନ୍ଦପୁର ବିଇଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବତା ସ୍ଥିତି କିନ୍ତୁ ସମ୍ପୁର୍ଣ୍ଣ ଅଲଗା ।