ନର୍ସିଂ ବହିରେ ଅଜବ ପାଠ: ଯୁକ୍ତି, ଯୌତୁକ ଦେଇ ଭଲ ଯାଗାରେ ବାହା ହୋଇପାରିବେ ଅସୁନ୍ଦରି ଝିଅ

123

କନକ ବ୍ୟୁରୋ: ଭାରତରେ ଯୈାତୁକ ନେବା ଓ ଦେବାକୁ ଅପରାଧ ବିବେଚନା କରାଯାଉଥିବା ବେଳେ, ନର୍ସିଂ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପଢାଯାଉଛି ଅଜବ ପାଠ । ଇଣ୍ଡିଆନ ନର୍ସିଂ କାଉନସିଲ ପାଠ୍ୟକ୍ରମରେ ସାମିଲ ହୋଇଥିବା ଟି.କେ. ଇନ୍ଦ୍ରାଣୀଙ୍କ ଦ୍ୱାରା ଲିଖିତ ସୋସିଓଲୋଜି ବହିରେ ଯୈାତୁକର ଉପାଦେୟତା ବିଷୟବସ୍ତୁ ସ୍ଥାନ ପାଇଛି । ବିଏସସି ନର୍ସିଂର ଦ୍ୱିତୀୟ ବର୍ଷରେ ପଢା ଯାଉଥିବା ଏହି ତଥ୍ୟକୁ ନେଇ ଏବେ ବଢିଛି ଅସନ୍ତୋଷ । ବହିରେ ଲେଖାଯାଇଛି,

– ଯୈାତୁକ ଦେଇ ଅସୁନ୍ଦରୀ ଯୁବତୀ ସହଜରେ ବାହା ହୋଇପାରନ୍ତି
– ଘରକୁ ନୂଆ ଆସବାବପତ୍ର ମିଳିବାରେ ସାହାଯ୍ୟ କରେ
– ଖଟ, ଗଦି, ଟିଭି, ଫ୍ୟାନ, ଫ୍ରିଜ୍, ବାସନକୁସନ ଏପରିକି ଗାଡି ଦେବାର ପରମ୍ପରା ରହିଛିି
– ଝିଅକୁ ପୈତୃକ ସମ୍ପତ୍ତିରୁ ଭାଗ ମିଳିଥାଏ
– ଝିଅଙ୍କୁ ପାଠ ପଢାଇବା ପାଇଁ ଅଭିଭାବକ ଆଗ୍ରହ ଦେଖାଇଥାଆନ୍ତି
– କାରଣ ଶିକ୍ଷିତ ଓ ଚାକିରୀଆ ଝିଅଙ୍କ ପାଇଁ କମ ଯୈାତୁକ ଦେବାକୁ ପଡିଥାଏ

ଏ ସମ୍ପର୍କରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସୋସିଆଲ ମିଡିଆରେ ବିରୋଧ ପରେ ନର୍ସିଂ କାଉନସିଲ ଏହି ବହିକୁ ପାଠ୍ୟକ୍ରମରେ ସାମିଲ କରିବାକୁ ଅନୁମତି ଦେଇଥିବା କଥାକୁ ଅସ୍ୱୀକାର କରିବା ସହ ବିଷୟବସ୍ତୁକୁ ନେଇ ନିନ୍ଦା କରିଛି । ତେବେ ଓଡିଶାରେ ଏହି ପୁସ୍ତକକୁ ନର୍ସିଂ ଛାତ୍ରଛାତ୍ରୀ ଅନୁକରଣ କରୁନଥିବା ଜଣା ପଡିଛିା

ଯୈାତୁକ ଭଳି କୁସଂସ୍କାରର ସମର୍ଥନରେ ପଢାଯାଉଥିବା ଏହି ବିଷୟକୁ ନେଇ ବିଭିନ୍ନ ମହଲରୁ ଆପତି ଉଠିବା ପରେ ଏବେ ପ୍ରକାଶକ ଏହି ବହିକୁ ବଜାରକୁ ନଛାଡିବାକୁ ନିଷ୍ପତି ନେଇଥିବା ଜଣା ପଡିଛି । ତେବେ ପ୍ରଶ୍ନ ଉଠୁଛି, କାହା ଅନୁମତିରେ ଦେଶର ବିଭିନ୍ନ ନର୍ସିଂ କଲେଜରେ ଏହି ବହି ପଢାଯାଉଥିଲା ?