ମହାନଗରର ମୃତ୍ୟୁ ଯନ୍ତା ପାଲଟିଛି ପଳାଶୁଣି: ଦୁର୍ଘଟଣାରେ ଏସଡିଓଙ୍କ ମୃତ୍ୟୁ ପରେ ବାପା ମନେ ପକାଇଲେ ପୁଅର କଥା

797

କନକ ବ୍ୟୁରୋ: ଭୁବନେଶ୍ୱରର ପଳାଶୁଣି ଛକରେ ହୋଇଥିବା ଏହି ଦୁର୍ଘଟଣାରେ ଯାଜପୁର ଧର୍ମଶାଳ ଏସଡିଓ ସୁମନ୍ତ ଦାସଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରିଛି । ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତେ ନୀରବ ରହନ୍ତି । ମୃତ ସୁମନ୍ତ ଦାସ ମଧ୍ୟ ପ୍ରାୟତଃ ପଳାଶୁଣି ଛକ ଦେଇ ଆସନ୍ତି ଏବଂ ନିଶ୍ଚୟ ସେଠାରେ ଦୁର୍ଘଟଣା ହୋଇଥିବା ଦେଖନ୍ତି । ଆଉ ଏକଥା ଘରେ ପହଂଚି ତାଙ୍କ ବାପାଙ୍କୁ ବି କହନ୍ତି ।

ମୃତ ସୁମନ୍ତ ଦାସଙ୍କ ବାପା କାନ୍ଦି କାନ୍ଦି କହିଛନ୍ତି, ଯଦି ସେଠାରେ ଟ୍ରାଫିକ ବ୍ୟବସ୍ଥା ଥାଆନ୍ତା, ଗାଡ଼ି ଚାଳକ ମାନେ ସ୍ପିଡ ନିୟନ୍ତ୍ରଣ କରିପାରିଥାଆନ୍ତେ । ସବୁ କିଛି ତାଙ୍କ ପାଇଁ ଓଲଟପାଲଟ ହୋଇଯାଇଛି । ସେପଟେ ଦ୍ରୁତ ଗତିରେ ହାଇୱା ଗାଡ଼ିରେ ଆସି ଏମିତି ମାରିଦେବା ପରେ ସେ ଡ୍ରାଇଭର ବି କୁଆଡ଼େ ଚାଲିଗଲା, ତା’ର ବି ପତା ନାହିଁ । ପୋଲିସକୁ ପଚାରିଲେ, ପୋଲିସ୍ କହୁଛି, ଡ୍ରାଇଭର ଫେରାର୍ ହୋଇଯାଇଛି ।

କୌଣସି ଭୁଲ୍ ନଥାଇ ମଧ୍ୟ ସୁମନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । କାରଣ ଜଣେ ପୁରାପୁରି ଠିକ୍ ଗାଡ଼ି ଚଳାଉଥିବେ, କିନ୍ତୁ ପଛପଟୁ ଦ୍ରୁତ ଗତିରେ ଆସି ଯଦି ଅନ୍ୟଗାଡ଼ି ଧକ୍କା ଦେବ, ତେବେ କ’ଣ କରାଯିବ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ।