କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ପ୍ରସଙ୍ଗ । ଏଏସଆଇ କାମର ତଦାରଖ କରିବାକୁ ପହଁଚିଲେ ଆମିକସ୍ କ୍ୟୁରି ଓ ବୈଷୟିକ କମିଟି ସଦସ୍ୟ । ବାଲି କଢ଼ାକୁ ଦେଲେ ଗ୍ରୀନ ସିଗନାଲ୍ ।

72

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବାଲିମୁକ୍ତ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଆଜି ପହଞ୍ଚିଛନ୍ତି ଆମିକସ କ୍ୟୁରି ଆଡଭୋକେଟ ଏନ.କେ ମହାନ୍ତି । ସାଙ୍ଗରେ ଅଛନ୍ତି ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଡକ୍ଟର ଏନସି ପଲ । ଏଏସଆଇ ଆଞ୍ଚଳିକ ମୁଖ୍ୟ ଅରୁଣ ମଲ୍ଲିକ ମଧ୍ୟ ଆମିକସ କ୍ୟୁରିଙ୍କ ସହ କୋଣାର୍କରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢିବା ନେଇ ୨୦୨୦ ଜୁନ୍ ୧୧ରେ ଏକ ବୈଷିୟକ କମିଟି ଗଠନ ହୋଇଥିଲା । ତେବେ ଅଭିଯୋଗ ହୋଇଥିଲା, ଏଏସଆଇ ବାଲି କାଢିବାକୁ ନିଷ୍ପତି କରି ପ୍ରକ୍ରିୟା ଆରମ୍ଭ କରିସାରିଥିବାବେଳେ ବୈଷୟିକ କମିଟି ପାଖରେ ଏ ବାବଦରେ ଖବର ନଥିଲା ।

ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ । ଏହାର ତଦାରଖ କରିବା ସହ ସୁରକ୍ଷା ଓ ମରାମତି କାମର ଅନୁଧ୍ୟାନ କରିବାକୁ ୨୦୧୯ ଜୁଲାଇ ୨୩ ତାରିଖରେ ଆଇନଜୀବୀ ଏନ.କେ. ମହାନ୍ତିଙ୍କୁ ଆମିକସ କ୍ୟୁରି ନିଯୁକ୍ତ କରିଥିଲେ । ଏବେ ବ୍ଲାକ ପାଗୋଡାକୁ ବାଲିମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହାର ଅନୁଧ୍ୟାନ କରିଛନ୍ତି କୋର୍ଟ ନିଯୁକ୍ତ ଆମିକସ କ୍ୟୁାରି । ଏଏସଆଇର କାମରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୈଷୟିକ କମିଟିର ପରାମର୍ଶରେ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବାକୁ ନିଷ୍ପତି କରିଛି ଏଏସଆଇ । ଏଥିପାଇଁ ଗତ ୮ ତାରିଖରେ ପୂଜାର୍ଚ୍ଚନା ପରେ ୯ ତାରିଖରେ ବାଲି କାଢିବାକୁ ୱାର୍କିଂ ପ୍ଲାଟଫର୍ମର ଲେ’ ଆଉଟ ତିଆରି କାମ ଆରମ୍ଭ କରିଥିଲା ଏଏସଆଇ । ନିଷ୍ପତି ଅନୁସାରେ ଦକ୍ଷିଣ ଓ ପଶ୍ଚିମ ପଟରେ ୪୫ ଫୁଟ ଉଚ୍ଚତାର ଏକ ୱାର୍କିଂ ପ୍ଲାଟଫର୍ମ ତିଆରି ହେବ । ତା ଉପରେ ଚଢି ଗର୍ଭଗୃହକୁ ପ୍ରବେଶ ପାଇଁ ୪ଫୁଟରେ ୫ ଫୁଟର ଏକ ଗାତ ଖୋଳାଯାଇ ବାଲି କଢାଯିବ । ବିଶ୍ୱ ଐତିହ୍ୟ ତଥା ଦେଶ ବିଦେଶରେ ଓଡିଆଙ୍କୁ ସ୍ୱତନ୍ତ୍ର ପରିଚିତି ଦେଇଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବାପାଇଁ ୧୨୦ବର୍ଷ ତଳେ ବାଲି ଭର୍ତ୍ତି କରିଥିଲେ ତତକାଳୀନ ବ୍ରିଟିସ ସରକାର । ଏତେବର୍ଷ ପରେ ପୁଣି ବାଲିକୁ କାଢି ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା- ଏଏସଆଇ ।