ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଅମ୍ବାତି ରାଇଡୁ । ଶେଷ ମୁହୂର୍ତ୍ତରେ ଫେରାଇନେଲେ ନାଁ । ଜାଣନ୍ତୁ, ଏହା ପଛର କାରଣ କଣ?

455

କନକ ବ୍ୟୁରୋ: ଆମେରିକାର ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଭାରତୀୟ ଖେଳାଳି ଅମ୍ବାତି ରାଇଡୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବାସ୍ କିଛି ଦିନ ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆମେରିକାରେ ମେଜର୍ ଲିଗ୍ କ୍ରିକେଟ୍ ଖେଳାଯିବାକୁ ଅଛି । ଯେଉଁଥିରେ ଟେକ୍ସାସ୍ ସୁପର କିଙ୍ଗସ ତରଫରୁ ଖେଳିବାକୁ ଚୁକ୍ତିବଦ୍ଧ ହେଇଥିଲେ ଅମ୍ବାତି ରାଇଡୁ । ହେଲେ ହଠାତ୍ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆମେରିକାର ମେଜର ଲିଗ୍ କ୍ରିକେଟରୁ ରାଇଡୁ ହଠାତ୍ ଓହରିଯିବା ଅନେକ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି । ଏହା ପଛରେ ବିସିସିଆଇର ନୂଆ ନିୟମ ରହିଛି ବୋଲି ଅନେକ ସନ୍ଦେହ କରୁଥିବାବେଳେ, ରାଇଡୁ କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାଁନ୍ତି । ବରଂ ବ୍ୟକ୍ତିଗତ କାରଣରୁ ସେ ମେଜର ଲିଗ୍ କ୍ରିକେଟରୁ ଓହରୁଥିବା ସ୍ପଷ୍ଟ କରିଛନ୍ତି ଟୁର୍ଣ୍ଣାମେଣ୍ଟର ଅଧିକାରୀ ।

ଅସଲ କଥା ହେଉଛି, ଭାରତୀୟ ଖେଳାଳିମାନେ ଅବସର ନେବା ପରେ ବିଦେଶରେ ଯାଇ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଯାହାକୁ ବନ୍ଦ କରିବାକୁ ବିସିସିଆଇ ଚିନ୍ତା କରୁଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ‘କୁଲିଂ ଅଫ୍ ପିରିୟଡ୍’ ବ୍ୟବସ୍ଥା ବା ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ । ଆଉ ଏପରି ସମୟରେ ରାଇଡୁ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଯିବା, ଏହି ନିୟମ ବିସିସିଆଇ ଆଣିବା ଏକପ୍ରକାର ପକ୍କା ବୋଲି ଧରିନିଆଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିସିସିଆଇ ସମ୍ପାଦକ ଜୟ ଶାହା କହିଥିଲେ ଯେ, ସେ ନିର୍ଦ୍ଧାରିତ ସନ୍ନ୍ୟାସକୁ ରୋକିବାକୁ ଏକ ନୂଆ ନୀତି ଆଣିବାକୁ ଯାଉଛନ୍ତି । ଏହି ନିୟମ କିଛି ବଡ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ । ତେବେ ଏହି ନିୟମରେ କୁଲିଂ ଅଫ୍ ପିରିୟଡ୍ ବ୍ୟବସ୍ଥା ଆସିପାରେ ବୋଲି ସେ ସଙ୍କେତ ଦେଇଥିଲେ । ଯାହାର ଠିକ୍ ପରେ ରାଇଡୁ ଏହି ଟୁର୍ଣ୍ଣାମେଣ୍ଟରୁ ନାଁ ଫେରାଇନେଇଛନ୍ତି । ଜାଣିରଖିବା ଉଚିତ୍ ଯେ, ଭାରତୀୟ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ଆମେରିକାର ମେଜର ଲିଗ୍ କ୍ରିକେଟରେ ଟିମ୍ କିଣିଛନ୍ତି ।